କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ସୁଦ୍ଧା ସ୍ୱାଭାବିକ ହେବନାହିଁ ଜୀବନ!

ୱାଶିଂଟନ,୧୩ ।୯: କରୋନା ଭାଇରସ ଦିନକୁ ଦିନ କମ୍ ହେବା ପରିବର୍ତ୍ତେ ଏହା ବଢି ବଢି ଚାଲିଛି । ଆମେରିକା, ଭାରତ ଓ ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଚିନ୍ତାର ବିଷୟ ପାଲଟିଛି । ଏଥିରେ ମୃତକଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦେଖିବା ପରେ ଆମେରିକାର ସଂକ୍ରମକ ରୋଗ ପରାମର୍ଶଦାତା ଏନ୍ଥନୀ ଫାଉସି କହିଛନ୍ତି କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ପର୍ଯ୍ୟନ୍ତ ସାଧାରଣ ଜୀବନ ସ୍ୱାଭାବିକ ହୋଇ ପାରିବ ନାହିଁ । ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ସେ ଏହା କହିଛନ୍ତି । ତାଙ୍କ ମତରେ ଆମେ ଯଦି କରୋନା ଭାଇରସ ସଂକ୍ରମଣ ପୂର୍ବ ଜୀବନ କଥା କହିବା ତେବେ ଏହା ମିଳିବା କଷ୍ଟକର ବ୍ୟାପାର । ଟିକା ପ୍ରସ୍ତୁତ ହୋଇଯିବ ସତ ଯାହା ଜୀବନକୁ ସ୍ୱାଭାବିକ କରିବାରେ ସହାୟକ ହେବ । ହେଲେ ବି ୨୦୨୧ ଶେଷ ପର୍ଯ୍ୟନ୍ତ ଜୀବନ ସ୍ୱାଭାବିକ ହୋଇ ପାରିବ ନାହିଁ । କାରଣ କରୋନାର ଯେଉଁ ଟିକା ଆସିବ ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ଆମେରିକା ଯଦିଓ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା କରୋନା ଟିକା ନେଇ ଆସିବ । ହେଲେ ଯେଉଁମାନଙ୍କ ପାଇଁ ଜରୁରୀ ପ୍ରଥମେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ତେଣୁ ଟିକା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ଆଉ ତା’ରି ଭିତରେ ୨୦୨୧ ବି ଶେଷ ହୋଇ ଯାଇଥିବ ବୋଲି ସେ କହିଛନ୍ତି ।

Share