ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଗ୍ରୁପ୍ ଏବଂ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ ଚନ୍ଦ୍ର ରଥଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିତ୍ତିଭୂମି ନିର୍ମାଣ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଉତ୍କର୍ଷ ହାସଲ ନିମନ୍ତେ ଡ. ପ୍ରମୋଦ ଚନ୍ଦ୍ର ରଥଙ୍କୁ ‘ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ’ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ‘ଓଡ଼ିଶା ଇନ୍ଫ୍ରାଷ୍ଟ୍ରକଚର କନ୍କ୍ଲେଭ-୨୦୨୪’ ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଯୋଗଦେଇ ଡ. ରଥଙ୍କୁ ଏହି ସମ୍ମାନ ପ୍ରଦାନ ସହ ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ୱେଲ୍ଫେୟାର ଆସୋସିଏସନର ସଭାପତି ଜେ.ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମାନ ସମାରୋହ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ, ସଙ୍ଗଠନର ଉପଦେଷ୍ଟା ଜଗନ୍ନାଥ ପ୍ରଧାନ,ସମ୍ପାଦକ ଦିଲୀପ କୁମାର ଜେନା, ଶିଳ୍ପୋଦ୍ୟୋଗୀ ଇଂ. ଦୁର୍ଗାପ୍ରସାଦ ରଥ, ଇଂ ଶିବପ୍ରସାଦ ରଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ୧୯୫୮ଜାନୁୟାରୀ ୨୬ରେ କଟକ ଜିଲା ଟାଙ୍ଗୀଠାରେ ଜନ୍ମ ଗ୍ରହଣ କରିଥିବା ଡ.ରଥ ଶିକ୍ଷା ସମାପ୍ତି ପରେ ନିର୍ମାଣ କ୍ଷେତ୍ରରେ ପାଦ ଦେଇଥିଲେ। ଏପରିକି ତାଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଦୁର୍ଗା କଣ୍ଡେଭ୍ ପ୍ରା.ଲିଃ’ ଦୀର୍ଘ ୫୦ବର୍ଷ ଧରି ଭାରତୀୟ ରେଳପଥ,ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ, କୃଷି, ଜଳସେଚନ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଭାଗ ଅଧୀନରେ ଅନେକ ବୃହତ୍ ପ୍ରକଳ୍ପ ହାତକୁ ନେଇ ସଫଳତାର ସହ ସମୟ ଅବଧି ଭିତରେ ସମ୍ପନ୍ନ କରି ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଉଚ୍ଚତ୍ତର ଓ ଗୁଣାମତ୍କ ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା, ଉନ୍ନତ ଚିକିସତ୍ା ସୁବିଧା ପାଇଁ କଟକର ଟାଙ୍ଗୀଠାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଓ ପଦ୍ମିନୀ କେୟାର ସୁପରସ୍ପେଶିଆଲିଟି ହସ୍ପିଟାଲ ଭଳି ଅନୁଷ୍ଠାନ ସ୍ଥାପନକରି ଡ. ରଥ ସାଧାରଣରେ ପ୍ରଶଂସାଭାଜନ ହୋଇଛନ୍ତି।


