ବିଭିନ୍ନ ପର୍ବପର୍ବାଣି, ବିଶେଷ କରି ଦୀପାବଳି ପାଳନ ଅବସରରେ ଆମେ ବାଣ ଫୁଟାଇଥାଉ, ଯାହାକି ଅତ୍ୟନ୍ତ ବାୟୁ ପ୍ରଦୂଷଣକାରୀ ବୋଲି ପ୍ରମାଣିତ ହେବାରୁ ବିଗତ ବର୍ଷଠାରୁ ଏହା ବଦଳରେ ତଥାକଥିତ ସବୁଜବାଣ ବ୍ୟବହାର କରାଯାଉଛି। କୁହାଯାଉଛିି ଯେ, ଏହା ୩୦% କମ୍ ପ୍ରଦୂଷଣକାରୀ । ଏଣୁ ଏହାକୁ ବ୍ୟବହାର କରିବାକୁ ଆମ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ଅନୁମତି ମିଳିଛି। ତେବେ ଏହା ଗ୍ରହଣୀୟ ନୁହେଁ। ସାଧାରଣ ବାଣ ଫୁଟିଲା ବେଳେ ବିବିଧ ସହରାଞ୍ଚଳର ବାୟୁ ଅତ୍ୟଧିକ ପ୍ରଦୂଷିତ ହୋଇଥାଏ। ଏଥିରୁ କିଛିଟା କମ୍ ହେବା ମଧ୍ୟ ସହନୀୟ ନୁହେଁ।
ବାଣରେ ଗନ୍ଧକ, ପୋଟାସିୟମ, ନାଇଟ୍ରେଟ୍, ବେରିୟମ ନାଇଟ୍ରେଟ୍ ଆଦିକୁ ମୂଳ ଉପାଦାନ ଏବଂ କେତେକ ବିଷାକ୍ତ ଧାତୁକୁ ତାହା ରଙ୍ଗିନ କରିବା ଲାଗି ବ୍ୟବହାର କରାଯାଏ। ସବୁଜବାଣରେ ଏଥିରୁ ଅନେକକୁ ବାଦ୍ ଦିଆଯାଉଥିବା କୁହାଯାଉଛି। ତେବେ ତହିଁରେ ଏହି ମୂଳ ଉପାଦନଗୁଡ଼ିକ କମ୍ ମାତ୍ରାରେ ହେଲେ ହେଁ ତ ନିଶ୍ଚୟ ଥିବ। ସେଥିରୁ ବାହାରୁଥିବା ବାଷ୍ପଗୁଡ଼ିକ ନିଶ୍ଚିତ ରୂପେ ଦୂଷିତକାରୀ ଏବଂ କ୍ଷତିକାରକ ।
କୁହାଯାଉଛି ଯେ, ସବୁଜବାଣରୁ ଜଳୀୟବାଷ୍ପ ନିର୍ଗମନର ବ୍ୟବସ୍ଥା ରହିଛି। ଏହା ନିର୍ଗତ ଧୂଳିକଣାକୁ ବାୟୁ ମଧ୍ୟକୁ ତଳକୁ ଖସାଇ ଆଣେ। ଏହା ଯଦି ସତ୍ୟ, ତେବେ ବିଗତ ବର୍ଷ ସବୁଜବାଣ ବ୍ୟବହୃତ ହୋଇଥିବା ଦିଲ୍ଲୀ ସମେତ ସହରାଞ୍ଚଳରେ ଦୀପାବଳି ପରେ ବାୟୁରେ ଭାସମାନ କଣିକା ଅତ୍ୟଧିକ ବଢ଼ିଯାଇଥିଲା କାହିଁକି ?
କୁହାଯାଉଛି ଯେ, ସାଧାରଣ ଫୋଟକାରୁ ୧୬୦ ଡେସିବେଲ ଧ୍ୱନି ପଯର୍ୟନ୍ତ ନିର୍ଗତ ହେଲାବେଳେ ସବୁଜବାଣରୁ ଏହା ୧୩୦ ମଧ୍ୟରେ ସୀମିତ ରହିବ। ତେବେ ଏହା ମଧ୍ୟ ଆମ ସାଧାରଣ ନିରାପଦ ସୀମା(୬୦ ଡେସିବେଲ)ଠାରୁ ଯଥେଷ୍ଟ ଅଧିକ। ଏପରିସ୍ଥଳେ ପରିବେଶ ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସବୁଜବାଣ ମଧ୍ୟ ବର୍ଜନୀୟ। ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି କେତେକ ସ୍ଥାନରେ ତାହା କରାଯାଇଛି।
ଯେଉଁମାନେ ବାଣ ଫୁଟାଇବାକୁ ଆମ ପରମ୍ପରା ବୋଲି କହୁଛନ୍ତି, ସେମାନଙ୍କୁ ଗୋଟିଏ ପ୍ରଶ୍ନ-ଦୀପାବଳି ପାଳନ ପ୍ରଥମେ ଆରମ୍ଭ ହୋଇଥିଲା ଶ୍ରୀରାମଚନ୍ଦ୍ରଙ୍କର ବନବାସରୁ ପ୍ରତ୍ୟାବର୍ତ୍ତନ କାଳରେ । ସେହି ସମୟରେ ବାଣର କ’ଣ ବ୍ୟବହାର ଥିଲା। ଏଣୁ ଏହାକୁ ଆମର ପରମ୍ପରା ବୋଲି କହିବା ମଧ୍ୟ ଅଯୁକ୍ତିକର।
ଏପରିସ୍ଥଳେ ଦୀପାବଳିରେ ବାଣ ନ ଫୁଟାଇବାକୁ ସମସ୍ତଙ୍କୁ ଅନୁରୋଧ।
କାରଣ ଏଥିରେ ଆମକୁ ମିଳୁଥିବା ଆନନ୍ଦ ଆସୁରିକ, ଏଣୁ ଏହା ବର୍ଜନୀୟ। ତେବେ ବାଣ ବଦଳରେ ଏହି ଆଲୋକର ପର୍ବରେ ଦୀପ ଜାଳନ୍ତୁ, ଯାହା ପରିବେଶ ଏବଂ ଜନସ୍ବାସ୍ଥ୍ୟ ପ୍ରତି ଅନୁକୂଳ। ଏହି ଅବସରରେ ଚାଲନ୍ତୁ ଦୀପଟିଏ ଜାଳି ଜଗଜ୍ଜନନୀ ମା’ କାଳୀଙ୍କୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା।
-ପ୍ରଫେସର ଉମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୯୮୫୭୬୭