ଏଥର ବାଲିଯାତ୍ରାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

କଟକ ଅଫିସ, ୨ା୧୧- ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ପ୍ରଥମଥର ଲେଜର ଲାଇଟ୍‌ ଶୋ ବ୍ୟବସ୍ଥା କରାଯାଇଛି। ଏଥିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ବ୍ୟବହାର କରାଯାଇ କଟକର ଐତିହ୍ୟସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଉପସ୍ଥାପନ କରାଯିବ। ଏନେଇ ମଙ୍ଗଳବାର ବାଲିଯାତ୍ରା ପଡିଆରେ ପରୀକ୍ଷାମୂଳକ ଭାବେ ଏହାକୁ ପ୍ରଦର୍ଶନ କରାଯାଇଛି। ଏଥିରେ ଥ୍ରୀ-ଡି ଆନିମେଶନ, ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ମହାନଦୀ ଜଳରାଶିରେ ଦିଲ୍ଲୀରୁ ଆସିଥିବା ଟିମ୍‌ ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରିଥିଲେ। ବାଲିଯାତ୍ରାରେ ସନ୍ଧ୍ୟା ସମୟରେ ଦର୍ଶକମାନେ ମାଗଣାରେ ଏହାର ମଜା ନେଇପାରିବେ। ୫ ମିନିଟ୍‌ ବିଶିଷ୍ଟ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସମୟ ବ୍ୟବଧାନରେ ଚାଲିବ। ମହାନଦୀ ଆଳତି ଶେଷ ହେବା ପରେ ଏହି ଶୋ’ ଲୋକଙ୍କୁ ବାଲିଯାତ୍ରାକୁ ପାଛୋଟି ଆଣିବାକୁ ଆକର୍ଷିତ କରିବ। ଏଥିପାଇଁ ମୁମ୍ବାଇ ଓ ଦିଲୀରୁ ଯନ୍ତ୍ରାଂଶ ଅଣାଯାଇଛି।

Share