ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗର ୪୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଡିପ୍‌ ଡିପ୍ରେଶନରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଧୀରେ ଧୀରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ସୋମବାର ରାତି ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ନର୍ସାପୁର ଏବଂ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ଉପରେ ଏହାର ସେତେଟା ପ୍ରଭାବ ପଡ଼ିବ ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ କଟକ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୩ ତାରିଖରେ ନବରଙ୍ଗପୁର, ନୂଆପଡା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି।
ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ଧରିବା ଲାଗି ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଏ ନେଇ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ଅନ୍ୟ ବନ୍ଦରଗୁଡିକରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଲଘୁଚାପ ଅବପାତ ରୂପ ନେଉଥିବାରୁ ସତର୍କ ରହିବା ପାଇଁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ଉପରେ ପରିସ୍ଥିତି ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

Share