୧୯ରେ ପୁଣି ଲଘୁଚାପ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଆସନ୍ତା ୧୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧ରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଲଘୁଚାପଜନିତ ବର୍ଷା ୨୫ ତାରିଖ ଯାଏ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଉପକୂଳ, ତେଲଙ୍ଗାନା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିଯୋଗୁ ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାୟଗଡ଼ାରେ ୧୫ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ଛତ୍ରପୁର ୯, ଦିଗପହଣ୍ଡି ୭, ବ୍ରହ୍ମପୁର ୬, ମାହାଙ୍ଗା ୬, ବଲାଙ୍ଗୀର ୬, ଦଶପଲ୍ଲା ୫, ପିପିଲି ୫, ବିଞ୍ଝାରପୁର ୫, ଗୋପାଳପୁର ୫, ଭଞ୍ଜନଗର ୪, ଚାନ୍ଦବାଲି ୪, ବରୀ ୪, ସାଲେପୁର ୪, ନିଶ୍ଚିନ୍ତକୋଇଲି ୪ ଓ ମାର୍ଶାଘାଇରେ ୪ ସେଣ୍ଟିମିଟର ବର୍ଷା ହୋଇଛି।

Share