ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଆସନ୍ତା ଜୁଲାଇ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଜୁଲାଇ ୨ ତାରିଖରୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ ଓ ୫ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ଭଲ ବର୍ଷା ଦେବ ନାହିଁ। ଲଘୁଚାପ ଓଡ଼ିଶା ଉପରେ ଅଧିକ ସମୟ ନ ରହି ତାହା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଡିପ୍ରେଶନରେ ପରିଣତ ହେବା ସମ୍ଭାବନା ରହିଛି। ଏଥିଯୋଗୁ ରାଜ୍ୟରେ ବର୍ଷା ପରିମାଣ କମିଯିବ। ତେବେ ଏହି ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଅଧିକାଂଶ ଭାଗରେ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।