ଲଘୁଚାପ: ୭ ଯାଏ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏଥିସହିତ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶନିବାର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଜିଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଲଗାଣବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ଅନୁଗୋଳ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଜପତି, ରାୟଗଡ଼ା, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ସୁବର୍ଣ୍ଣପୁର ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ୪ ତାରିଖ ସକାଳୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, କଟକ, ଦେବଗଡ଼, ଗଜପତି ଏବଂ ସୁବର୍ଣ୍ଣପୁର ଜିଲାରେ
ଲଘୁଚାପ: ୭ ଯାଏ …
ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖ ସକାଳୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, ଭଦ୍ରକ, କୋରାପୁଟ ଏବଂ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖ ସକାଳ ୮ଟା ୩୦ରୁ ୭ ତାରିଖ ସକାଳ ୮ଟା ୩୦ ଯାଏ କୋରାପୁଟ, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୮ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହୁଛି। ଆସନ୍ତା ୫ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରେମୁଣାରେ ୧୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନୀଳଗିରିରେ ୯, ବାଲେଶ୍ୱର ୮, ସୋର ୭, ବେତନଟୀ ୫, ତିହିଡ଼ି ୫, ଚାନ୍ଦବାଲି ୫, କଟକ ୫, ପାଇକମାଳ ୪, ଭଦ୍ରକ ୪, ଗୋବିନ୍ଦପୁର୪, ଖରିଆର ୪, କଣ୍ଟାପଡ଼ା ୪, ବିଞ୍ଝାରପୁର ୪, ଜଗତ୍‌ସିଂହପୁରରେ ୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

Share