ଭୁବନେଶ୍ୱର,୧୪।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବାନ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି ରାୟଗଡା ଏବଂ ନବରଙ୍ଗପୁର ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହିତ କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ୧୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ଗଜପତି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ସେତେଟା ପ୍ରଭାବ ପକାଇବ ନାହିଁ। ଉପକୂଳ ଓଡିଶାରେ କଁା ଭଁା ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦବାଲିରେ ୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୮, ଗୋପାଳପୁରରେ ୪.୬, ମାଲକାନଗିରେ ୧୫.୬ ଏବଂ ପାରାଦୀପରେ ୧୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।