ଭୁବନେଶ୍ୱର,୨୯ା୭(ଅନିଲ ଦାସ): ଚାଷୀମାନେ ତଳି ପକାଇ ବର୍ଷାକୁ ଚାହିଁ ରହିଛନ୍ତି। ରାଜ୍ୟର ଅଧିକାଂଶ ଜିଲାରେ ରୁଆ, ବେଉଷଣ ପାଇଁ ଆବଶ୍ୟକ ଅନୁଯାୟୀ ବର୍ଷା ନାହିଁ। ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନାବାନ୍ଧୁଛି, ହେଲେ ଓଡ଼ିଶାରେ ବର୍ଷା ଦେଉନାହିଁ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଗତ ଜୁନ୍ ମାସରେ ଗୋଟିଏ ଲଘୁଚାପ ହୋଇଥବା ବେଳେ ଜୁଲାଇ ମାସରେ ଏଯାଏ ୩ଟି ଲଘୁଚାପ ହୋଇଛି। ଏହା ସତ୍ତ୍ୱେ ରାଜ୍ୟରେ ଆଶାନୁରୂପ ବର୍ଷା ହେଉନାହିଁ। ରାଜ୍ୟରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଗଲାଣି। ଜୁନ୍ ୧ରୁ ଜୁଲାଇ ୨୮ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୧୫.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୪୫୨.୮ ମିଲିମିଟର। ୧୨ ଜିଲାରେ ପରିସ୍ଥିତି ସଙ୍ଗିନ ରହିଛି।
ପାଣିପାଗ ବିଭାଗ ସୂଚନା ମୁତାବକ, କଳାହାଣ୍ଡିରେ ସ୍ବାଭାବିକଠାରୁ ୩୩% କମ୍ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ୩୬, କେନ୍ଦ୍ରାପଡ଼ା ୩୫, ମାଲକାନଗିରି ୩୧, ବାଲେଶ୍ୱର ୨୬, କଟକ ୨୭, ଗଞ୍ଜାମ ୨୪, ଜଗତ୍ସିଂହପୁର ୨୪, ଯାଜପୁର ୨୯, ରାୟଗଡା ୨୪, ପୁରୀ ଓ କଟକରେ ୨୭ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି।
ତେବେ ଆସନ୍ତା ୩୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସୋନପୁର, ଗଞ୍ଜାମ, ଗଜପତି ଆଦି ଜିଲାରେ ୩୦ ଓ ୩୧ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବର୍ଷାର ପରିମାଣ ବଢ଼ାଇବା ନେଇ ପାଣିପାଗ ବିଜ୍ଞାନୀ ଆଶାବାଦୀ ଅଛନ୍ତି।