ଲଘୁଚାପ ସତ୍ତ୍ୱେ ହାଲୁକା ବର୍ଷା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହୁଛି। ଇତିମଧ୍ୟରେ ଲଘୁଚାପ ଓ୍ବେଲ୍‌ମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମ ଦିଗକୁ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଚାଲିଗଲାଣି। ହେଲେ ବର୍ଷାର ନାଁ ଗନ୍ଧ ନାହିଁ। କେଉଁଠି କେତେବେଳେ ଅସରାଏ ଦି’ଅସରା ବର୍ଷା ହେଉଛି। ରାଜ୍ୟରେ ଅଧାରୁ ଅଧିକ ଜିଲାରେ ବର୍ଷା ପରିମାଣ ସ୍ବାଭାବିକଠାରୁ ୨୦ରୁ ୫୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାରିପଦାରେ ସର୍ବାଧିକ ୨୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୬, ପାରାଦୀପ ୯, ଅନୁଗୋଳ ୩, ଭବାନପାଟଣା ୮.୬, ବଲାଙ୍ଗୀର ୧୯, ଟିଟିଲାଗଡ଼ ୧୨.୨ ଏବଂ ବୌଦ୍ଧରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

Share