୧୩ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୩ା୭(ଅନିଲ ଦାସ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍‌ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୨୭ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ମାତ୍ର ୧୬୮.୮ ମିଲିମିଟର। ଆଧାରୁ ଅଧିକ ଜିଲାରେ ଏବେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଇ ଗତିକରୁଛି। ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ପହିଲାରୁ ଜୁଲାଇ ୨ ତାରିଖ ମଧ୍ୟରେ ମୟୂରଭଞ୍ଜରେ ସ୍ବାଭାବିକଠାରୁ ୬୫ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଭଦ୍ରକ ୪୪, ବାଲେଶ୍ୱର ୫୭, ଅନୁଗୋଳ ୪୧, ଯାଜପୁର ୩୬, କେନ୍ଦୁଝର ୫୦, ପୁରୀ ୩୮, କେନ୍ଦ୍ରାପଡ଼ା ୩୯, ଝାରସୁଗୁଡ଼ା ୩୪, ମାଲକାନଗିରି ୩୫, ବରଗଡ଼ ୩୧, ସମ୍ବଲପୁର ୩୧ ଏବଂ ସୁନ୍ଦରଗଡ଼ରେ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଯଦିଓ ଗତ କିଛିଦିନ ହେବ ରାଜ୍ୟରେ ମୌସୁମୀଜନିତ ବର୍ଷା ହେଉଛି ତେବେ ତାହା ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଆସନ୍ତା ୩ରୁ ୪ ଦିନ ଯାଏ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ଆସନ୍ତା ୭ ତାରିଖ ଯାଏ ରାଜ୍ୟକୁ ଭଲ ବର୍ଷା ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତେବେ ୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ମୌସୁମୀ ସକ୍ରିୟ ରହିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ମେଘୁଆ ରହିଥିଲେ ମଧ୍ୟ ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇଛି।