ଦୁର୍ବଳ ମୌସୁମୀ: ୧୬ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୭ା୭(ଅନିଲ ଦାସ): ବର୍ଷାଭାବ ଯୋଗୁ ରାଜ୍ୟରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଲାଣି। ମୌସୁମୀ ଦୁର୍ବଳ ରହିବା ଯୋଗୁ ଗତ କିଛିଦିନ ହେବ ରାଜ୍ୟରେ ବର୍ଷା କମିଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଜୁଲାଇ ୬ ତାରିଖ ମଧ୍ୟରେ ରାଜ୍ୟରେ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୨୬୫.୮ ମିଲିମିଟର ହେବା ସ୍ଥାନରେ ୧୯୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜ୍ୟରେ ଏବେ ୧୬ ଜିଲାରେ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ସେହି ଜିଲାଗୁଡିକରେ ୨୦ରୁ ୬୦ ପ୍ରତିଶତ କମ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ କଳାହାଣ୍ଡି ଓ କନ୍ଧମାଳ ଜିଲାରେ ୬୬ ପ୍ରତିଶତ ଲେଖାଏ କମ୍‌ ବର୍ଷା ହୋଇଥିବା ବେଳେ ଦେବଗଡ ୫୪, ରାୟଗଡା ୫୪, ନବରଙ୍ଗପୁର ୫୬, ପୁରୀ ୪୨, କେନ୍ଦ୍ରାପଡା ୪୬, ବଲାଙ୍ଗୀର ୪୩, ବାଲେଶ୍ୱର ଜିଲାରେ ୪୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ବର୍ଷା ସ୍ବାଭାବିକଠାରୁ ୩୦ରୁ ୫୦ ପ୍ରତିଶତ କମ୍‌ ରହିଛି।
ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ କାଁ ଭାଁ ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଚାନ୍ଦବାଲିରେ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୮.୪, ପାରାଦୀ ୧୨.୮, ଭୁବନେଶ୍ୱର ୩୫.୩, ବାରିପଦା ୨୬.୪, ଝାରସୁଗୁଡା ୨୧.୨, ହୀରାକୁଦ ୩୧, ଭବାନୀପାଟଣା ୪୦.୨, କୋରାପୁଟ ୧୧, ନୟାଗଡ଼ ୨୯, ରାୟଗଡା ୩୪.୩, ଭଦ୍ରକ ୩୯.୫, ଯାଜପୁରରେ ୧୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ମୌସୁମୀ ଟ୍ରପ୍‌ଲାଇନ ଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂଭରଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Share