Advertisement

୧୮ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୫ା୭(ଅନିଲ ଦାସ): ରାଜ୍ୟରେ ବର୍ଷାଭାବ ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ବଢ଼ିଗଲାଣି। ଜୁନ୍‌ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ସାଙ୍ଗକୁ ୧୧ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୨୨ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିଥିଲା। ଦୁଇ ତିନି ଦିନ ପରେ ମୌସୁମୀଜନିତ ବର୍ଷା ଏକପ୍ରକାର ବନ୍ଦ ହୋଇଯାଇଛି। ମୌସୁମୀ ଦୁର୍ବଳ ରହିବା ସାଙ୍ଗକୁ ଲଘୁଚାପ ନ ଥିବାରୁ ବର୍ଷା ପରିମାଣ ବହୁମାତ୍ରାରେ ହ୍ରାସପାଇଛି। ଏପରି କି ରାଜ୍ୟର ୩ ଜିଲା ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳରେ ସ୍ଥିତି ସଙ୍ଗିନ ରହିଥିବା ବେଳେ ୧୮ ଜିଲାରେ ଭୟଙ୍କର ବର୍ଷାଭାବ ଦେଖାଦେଇଛି।
ମୌସୁମୀ ବାୟୁ ଦୁର୍ବଳ ଥିବାରୁ ବର୍ଷା ପରିମାଣ ହ୍ରାସ ପାଇଛି। ଜୁନ୍‌ ପହିଲାରୁ ଜୁଲାଇ ୪ ତାରିଖ ମଧ୍ୟରେ ରାଜ୍ୟରେ ୩୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୨୪୭.୪ ମିଲିମିଟର ବର୍ଷା ହେବା ସ୍ଥାନରେ ହୋଇଛି ୧୭୧.୭ ମିଲିମିଟର। ସେହିପରି ରାଜ୍ୟରେ ଏବେ ୧୮ଟି ଜିଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ସେହି ଜିଲାଗୁଡ଼ିକରେ ୨୦ରୁ ୭୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଆଗାମୀ ଦିନରେ ବର୍ଷା ପରିମାଣ ନ ବଢ଼ିଲେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାୟଗଡ଼ାରେ ସର୍ବାଧିକ ୭୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ୭୦, କନ୍ଧମାଳ ୬୭, ନବରଙ୍ଗପୁର ୫୭, ଖୋର୍ଦ୍ଧା ୪୨, ପୁରୀ ୪୦, ସୋନପୁର ୪୦, ବଲାଙ୍ଗୀର ୪୭, ବାଲେଶ୍ୱର ୪୬, କଟକ ୩୯, ଗଞ୍ଜାମ ୪୬, ଜଗତ୍‌ସିଂହପୁର ୪୪, ପୁରୀ ୪୦, ଯାଜପୁର ୩୯, ଗଜପତି ୩୭, ନୂଆପଡ଼ା ୩୭, କୋରାପୁଟ ଜିଲାରେ ୨୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବୌଦ୍ଧ ଏବଂ ନୂଆପଡ଼ା ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share