ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ତେବେ ଶୁକ୍ରବାର ଠାରୁ ଏହା ହ୍ରାସ ପାଇଛି। କେତେକ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ଯାଏ ପାରଦ ଉପରମୁହାଁ ହେବ। ଆଉ ଶୀତ ପ୍ରକୋପ ରହିବ ନାହିଁ। କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ସମ୍ଭାବନା ରହିଛି। ତେବେ ୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର ଏବଂ ଅନୁଗୋଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିୟସ ତଳେ ରହିଛି।