ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ୨ରୁ ୩ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୮ତାରିଖ ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କନାଳ, ବାଲେଶ୍ୱର, ଯାଜପୁର, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର ଓ ଭଦ୍ରକ ଆଦି ଜିଲାର କେତେକ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ତେଣୁ ଏ ସମସ୍ତ ଜିଲାକୁ ସତର୍କ ସୂଚନା ସହିତ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କନ୍ଧମାଳ, କଳାହାଣ୍ଡି ଏବଂ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Share