ଲଘୁଚାପ ବର୍ଷା ଆଶ୍ୱସ୍ତି ଦେବ

ଭୁବନେଶ୍ୱର,୩।୮(ବ୍ୟୁରୋ): ଶ୍ରାବଣରେ ମୌସୁମୀ ଯେପରି ଉଭାନ ହୋଇଯାଇଛି। ଟାଇଁ ଟାଇଁ ଖରାରେ କ୍ଷେତ ଫାଟି ଆଁ କରିଛି। କେନାଲରେ ପାଣି ନ ଥିବାବେଳେ ଠିକ୍‌ ସମୟରେ ସରକାରଙ୍କ ଜଳସେଚନ ବ୍ୟବସ୍ଥା ଫେଲ୍‌ ମାରିଛି। ଫଳରେ ରାଜ୍ୟର ଲକ୍ଷଲକ୍ଷ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏପରିସ୍ଥଳେ ଲଘୁଚାପ ବର୍ଷା ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏଥିସହ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ରବିବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ୩ ତାରିଖ ଦିନ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ୪ ତାରିଖ ଦିନ ଢେଙ୍କାନାଳ, ଯାଜପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମାଲକାନଗିରି, କୋରାପୁଟ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୫ ତାରିଖ ଦିନ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ କଟକ, ଢେଙ୍କାନାଳ, ଅନୁଗୋଳ ଓ ସୋନପୁରରେ ପ୍ରବଳ ବର୍ଷା ହେବ। ୬ ତାରିଖ ଦିନ ବରଗଡ଼, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।
ଜୁଲାଇ ମାସରେ ବର୍ଷା ନ ହେବାରୁ ଉପକୂଳ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ସାଂଘାତିକ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ୧୨ ଜିଲାରେ ସ୍ଥିତି ସବୁଠୁ ବିଗିଡି ଯାଇଛି। ଚାଷୀ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଖରିଫ୍‌ ଋତୁ। ଏହି ଚାଷରୁ ହିଁ ଚାଷୀ ବର୍ଷ ତମାମର ରୋଜଗାର ପାଇଥାଏ। ସାରାବର୍ଷ ଖାଇବା ପାଇଁ ଦାନା ମିଳିଥାଏ। କିନ୍ତୁ ମୌସୁମୀ ସକ୍ରିୟ ନ ହେବାରୁ ଚାଷୀଙ୍କ ସବୁ ସ୍ବପ୍ନ ମଉଳି ଯାଇଛି। ତେବେ ଲଘୁଚାପ ଯୋଗୁ ବର୍ଷା ଆସୁଥିବାରୁ ଚାଷୀଙ୍କ ମନରେ ଆଶା ଓ ଉତ୍କଣ୍ଠା ବଢ଼ଯାଇଛି। ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିବ ବୋଲି କୁହାଯାଉଛି।

Share