ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀକୁଳ

ସାକ୍ଷୀଗୋପାଳ,୧୧।୮(ଭରତ ରାଉତ): ଆଷାଢ଼ ସରି ଶ୍ରାବଣ ମାସ ଅଧା ହେଲାଣି। ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍‌ ରହିଛି। ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ ପାରୁନି ଚାଷକାର୍ଯ୍ୟ। ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲା। କିନ୍ତୁ ବର୍ଷା ହୋଇ ନ ଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି। ବୁଣା ଯାଇଥିବା ତଳି ବିଲ ମଧ୍ୟ ଫାଟି ଆଁ କଲାଣି। ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ଚୁଆ ଓ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ଛିଞ୍ଚୁଛି। ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକରେ ଏବର୍ଷ ଖରିଫ ଚାଷ ହେବକି ନାହିଁ ଚାଷୀ ସନ୍ଦେହରେ, ଏକ ରକମର ମରୁଡି ଅବସ୍ଥାକୁ ଆସିଗଲାଣି। ମୌସୁମୀ ଚାଷୀଙ୍କ ଉପରେ ଦାଉ ସାଧିଛି। ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ଜିଲାରେ ୨୭ ପ୍ରତିଶତ କମ୍‌ ବର୍ଷା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ବଡ଼ ଧରଣର ବର୍ଷା ନ ଥିବା ପାଣିପାଗ ବିଭାଗରୁ ସୂଚନା ମିଳିଛି। ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ଅଧିକାରୀଙ୍କର ପାଣି ପାଇଁ କାହାରି ଚିନ୍ତା ନାହିଁ ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଗଡିଆ, ଚୁଆ, ନୟନଜୋରୀରେ ଥିବା ଅଳ୍ପ ପାଣିକୁ ଚାଷୀମାନେ ତଳିକୁ ପାଣି ବୋହି ସୁଖାଇ ସାରିଲେଣି, ତଥାପି ଧାନ ତଳି ବଞ୍ଚାଇ ରଖିବା ବହୁ କଷ୍ଟକର ହୋଇପଡିଛି। ସତ୍ୟବାଦୀ ବ୍ରାଞ୍ଚ କେନାଲରେ ଟୋପାଏ ପାଣି ନାହିଁ। ନରେନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁର, ଶୁକଳ, ପେଣ୍ଠପଡା, ଜୟପୁର, ସାଣ୍ଢରା, ଆଳିସ, ନୂଆ ସୋମେଶ୍ୱର ପୁର, ବିଦ୍ୟାଧରପୁର, ମହୁରା ପରଜାପଡା, ରାୟଖଣ୍ଡି, ବଳପୁର, ବଳରାମପୁର ଗଡ଼ ଆଦି ପଞ୍ଚାୟତରେ ହଜାର ହଜାର ଚାଷଜମି ଶୁଖି ମାଟି ଫାଟି ଆଁକଲାଣି। ଯଦି ଦୁଇ ତିନି ଦିନ ମଧ୍ୟରେ ଲଗାଣ ବର୍ଷା ସହିତ କେନାଲରେ ପାଣି ନ ଆସିଲେ ଚଳିତବର୍ଷର ଖରିଫ ଧାନ ଫସଲ ଉଜୁଡି ଯିବ ବୋଲି ଚାଷୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ନବକିଶୋର ମହାପାତ୍ର, ଦେବତିକ୍ତ ମିଶ୍ର, ମହନ୍ତ ବିଶାଳ, ପ୍ରଭାକର ମହାପାତ୍ର, ନବକିଶୋର ନାଲି, ରାମଚନ୍ଦ୍ର ମିଶ୍ର କହିଛନ୍ତି। ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ତାହା ସମ୍ଭବ ହୋଇପାରି ନ ଥିଲା।

Share