ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ମୌସୁମୀ ନିମ୍ନ ଚାପ ରେଖା ରବିବାର ରାଜସ୍ଥାନର ଜୈସେଲମେରରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର ପର୍ଯ୍ୟନ୍ତ ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏଥିଯୋଗୁ ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ଜାରି ରହିଛି। କିନ୍ତୁ ଓଡ଼ିଶା ରହିଛି ନିଅଣ୍ଟିଆ ବର୍ଷା ସ୍ଥିତି। ଦେଶର ଗୋଟିଏ ଭାଗରେ ଜଳପ୍ରଳୟ ଦେଖିବାକୁ ମିଳୁଥିବାବେଳେ ସମାନ ସମୟରେ ଅନ୍ୟତ୍ର ବର୍ଷା ଅଭାବରୁ ତଳି ପୋଡ଼ିଗଲାଣି। ବିଳମ୍ବରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇନାହିଁ। ଫଳରେ ସାରା ରାଜ୍ୟରେ ବର୍ଷାକୁ ନେଇ ଉତ୍କଟ ସ୍ଥିତି ଉପୁଜିଛି। ଅଧିକାଂଶ ସ୍ଥାନରେ ଚାଷ ପ୍ରଭାବିତ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଚାଷ କାମ ଆରମ୍ଭ ହୋଇପାରୁନାହିଁ। ୧୫ଟି ଜିଲାରେ ନିଅଣ୍ଟିଆ ବର୍ଷା ଓ ଗୋଟିଏ ଜିଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ଏବେ ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ, ବିଶେଷ ପ୍ରଭାବ ନାହିଁ। ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ ବୋଲି ସୂଚନା ମିଳିଛି। ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଥିଲେ ମଧ୍ୟ ତାହା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହଁାଇବ। ଫଳରେ
ଓଡ଼ିଶାରେ ବିଶେଷ ବର୍ଷା ହେବନି ବୋଲି ପାଣିପାଗ ବିଶେଷଜ୍ଞଙ୍କ ମତ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୯.୨ ମିମି ତୁଳନାରେ ୬୨ପ୍ରତିଶତ କମ୍‌ ରହିଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୯ ଜୁଲାଇ ମଧ୍ୟରେ ମୋଟ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫ ପ୍ରତିଶତ କମ୍‌ ରହିଛି। ଏହି ଅବଧି ମଧ୍ୟରେ ଦେବଗଡ଼ ଜିଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲାରେ ୧୨୩.୫ ମିମି ସହ ସବୁଠାରୁ କମ୍‌ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ ରହିଛି। ଅନ୍ୟପଟେ ସୋମବାର ମାତ୍ର ୭ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସବୁ ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୋଳ,ଢ଼େଙ୍କାନାଳ ଓ କେନ୍ଦୁଝର ଜିଲା ରହିଛି।

Share