ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ଏହା ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣାଠାରୁ ୨୫୦କିମି ଦୂରରେ ସକ୍ରିୟ ରହିଛି। ୬ କିମି ବେଗରେ ଗତି କରୁଥିବାବେଳେ ମଙ୍ଗଳବାର ସକାଳେ କାକିନାଡ଼ା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ପବନର ବେଗ ୫୫ରୁ ୬୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁରରେ ବର୍ଷାର ପ୍ରକୋପ ଅଧିକ ରହିବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସତର୍କ ରହିବାରୁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଛତ୍ରପୁରରେ ସର୍ବାଧିକ ୫୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡିରେ ୪୫, ଗୋପାଳପୁରରେ ୩୪ମିମି ବର୍ଷା ହୋଇଛି। ସେହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧାରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।

Share