ଉମରକୋଟ, ୧୭।୩(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଅଧୀନ ୫ନମ୍ବର ୱାର୍ଡ ସ୍ଥିତ ଶ୍ମଶାନରେ ଲାଇଟ୍ ନ ଥିବାରୁ ରାତିରେ ‘ମୋବାଇଲ ଲାଇଟ୍ରେ ମୃତଦେହ’ ସତ୍କାର ଶୀର୍ଷକ ଏକ ଖବର ୧୩ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ଏଠାରେ ଆଲୋକ ବ୍ୟବସ୍ଥା କରାଯାଇଛି। ସେଠାରେ ଏବେ ଏକ ବିଜୁଳି ଖମ୍ବ ପୋତାଯାଇ ଦୁଇଟି ମର୍କ୍ୟୁରି ଲାଇଟ ଲଗାଯାଇଛି। ପୌରାଧ୍ୟକ୍ଷା ରାଧା ଭତ୍ରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ ଓ ପୌର ନିର୍ବାହୀ ଅଧିକାରୀ ଋଷି ମାଝିଙ୍କ ପ୍ରଚେଷ୍ଟାରେ ବିଜୁଳି ଆଲୁଆର ବ୍ୟବସ୍ଥା କରାଯାଇଛି। ସୂଚନାନୁଯାୟୀ ଶ୍ମଶାନରେ ଆଲୋକ ବ୍ୟବସ୍ଥା ନ ଥିଲା। ପୋରାଞ୍ଚଳରେ ଆଲୋକ ସମସ୍ୟା ସମାଧାନ ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ତାଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲେ ବି କୌଣସି ସୁବିଧା କରାଯାଇ ନ ଥିଲା। ଏହାପରେ ଧରିତ୍ରୀରେ ଖବର ପ୍ରକାଶ କରାଯାଇଥିଲା। ଖବର ପ୍ରକାଶର ୨ ଦିନ ପରେ ଶ୍ମଶାନରେ ଆଲୋକ ବ୍ୟବସ୍ଥା କରାଯାଇଛି।