ବିଜୁଳି କାଟ୍‌: ଦୀପତଳ ଅନ୍ଧାର

ଭୁବନେଶ୍ବର, ୧୪ା୬(ସୁନୀତ୍‌ ମିଶ୍ର): ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୋଇଥାଏ। ହେଲେ ରାଜ୍ୟରେ ଦୀପତଳ ଅନ୍ଧାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ବିଜୁଳି କାଟ ନେଇ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ କିଛିଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି। ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କ ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ। ଯେମିତି ଦୀପ ତଳ ଅନ୍ଧାର, ସେମିତି ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳବିଦ୍ୟୁତ୍‌ ପ୍ରକଳ୍ପ ଥିବା ସତ୍ତ୍ୱେ ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି। ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ତାଙ୍କ କାମରେ ନାହାନ୍ତି। ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାରଧର୍ମୀ କାମରେ ଲାଗିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳିଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ। ଶକ୍ତିମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ିଛନ୍ତି। ମନ୍ତ୍ରୀ ଓ ସଚିବମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ। ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି। ବୟାନବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ନାନ୍ସ କାମରେ ଲାଗନ୍ତୁ। ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ୱ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ। ତେଣୁ ଯେଉଁ ଚୁକ୍ତି କରାଯାଇଛି ତାକୁ କ୍ରିୟାନ୍ବୟନ କରାଯାଉ। ସାଧାରଣ ଜନତା ତଥା ବିଦ୍ୟୁତ୍‌ ଉପଭୋକ୍ତ ଶୁଳ୍କ ଦେଉଛନ୍ତି। ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି। ଶାସନରେ ଥିବା ବ୍ୟକ୍ତିମାନେ ଓଡ଼ିଆ ଲୋକଙ୍କୁ ସରଳ ଓ ବୋକା ବୋଲି ଭାବୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଭଲ ଲକ୍ଷଣ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share