ବଜ୍ରକାପ୍ତା ବିକ୍ରି ପାଇଁ କରିଥିଲେ ଅପେକ୍ଷା: ମାଡ଼ିବସିଲା ଏସ୍‌ଟିଏଫ୍‌

ସୋନପୁର,୧୭ା୫(ନି.ପ୍ର.): କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ତିଲେଇମାଲ-ଖେମୁଡିଆମୁଣ୍ଡା ରାସ୍ତାରେ ଚଢାଉ କରି ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଅଢେଇ ଫୁଟ୍‌ ଲମ୍ବ ମା’ ବଜ୍ରକାପ୍ତାର ଓଜନ ୭କିଲୋ ଓ ଛୁଆ ବଜ୍ରକାପ୍ତାର ଓଜନ ୩ କିଲୋ। ଲମ୍ବ ଅଢେଇଫୁଟ ହେବ। ଏହି ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ସେମାନେ ହେଲେ ଲଛିପୁର ଥାନା ଝାଙ୍କରପାଲିର ନବଦୀପ ଧରୁଆ(୪୧) ଓ ବ୍ୟାସଦେବ ଧରୁଆ(୨୯)।
ମିଳିଥିବା ସୂଚନା ମୁତାବକ, ବାରପାହାଡ ସଂରକ୍ଷିତ ଜଙ୍ଗଲରୁ ୩ଦିନ ତଳେ ବଜ୍ରକାପ୍ତା ଆଣି ଅଭିଯୁକ୍ତ ଦ୍ୱୟ ଘରେ ରଖିଥିଲେ। ମଙ୍ଗଳବାର ରାତିରେ ସେମାନେ ବଜ୍ରକାପ୍ତା ୨ଟିକୁ ଅଖାରେ ପୂରାଇ ବିକ୍ରି ପାଇଁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଜିତୁ ମୋହନ ବେଶ୍ରାଙ୍କ ନେତୃତ୍ୱରେ ଟିମ୍‌ ଚଢାଉ କରି ଦୁଇଭାଇଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସଟିଏଫ୍‌ ଅଭିଯୁକ୍ତଙ୍କ ସମେତ ଉଦ୍ଧାର ବଜ୍ରକାପ୍ତାକୁ ସୁବର୍ଣ୍ଣପୁର ବନ ବିଭାଗକୁ ହସ୍ତାନ୍ତର କରିଛି। ଜିଲା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡାକ୍ତର ସୁନାକର ସାମଲ ଅସୁସ୍ଥ ବଜ୍ରକାପ୍ତାଙ୍କୁ ଚିକିତ୍ସା କରୁଛନ୍ତି। ଏ ନେଇ ସୋନପୁର ଫରେଷ୍ଟ ରେଞ୍ଜ ଅଫିସ ପକ୍ଷରୁ ୧୭/୨୩-୨୪ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ବୁଧବାର ଅଭିଯୁକ୍ତ ଦ୍ୱୟଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଛି।

Share