ଭୁବନେଶ୍ୱର, ୧୪ା୬(ବ୍ୟୁରୋ): ଆଉ ପୂର୍ବଭଳି ଋତୁ ଅନୁଯାୟୀ ସଂଘଟିତ ନ ହୋଇ ବର୍ଷର ଯେକୌଣସି ସମୟରେ ବାତ୍ୟା ଭଳି ପରିସ୍ଥିତି ଉପୁଜୁଛି । ଏଥିସହ ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ଓ ପାଣିରେ ବୁଡ଼ି ମୃତ୍ୟୁ ଭଳି ସମସ୍ୟା ଆମ ପାଇଁ ଆହ୍ବାନ ହୋଇଛି । କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍ ଦିଆଗଲେ ଜୀବନ ବଞ୍ଚାଇହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।
ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ନୂତନ ଭାବେ ପଦ ଗ୍ରହଣ କରିବା ପରେ ସୋମବାର ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସ୍ ପରିଦର୍ଶନରେ ଯାଇଛନ୍ତି। ଏହି ଅବସରରେ ପ୍ରଦୀପ ଜେନା କହିଛନ୍ତି, ସାପ କାମୁଡା ସମ୍ପର୍କିତ ତଥ୍ୟ ଜାଣିବା ଲାଗି ବିଭାଗ ପକ୍ଷରୁ ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯିବ। ଏହାଦ୍ୱାରା ରାଜ୍ୟର ପ୍ରତି ସ୍ବାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍ ଷ୍ଟକ୍ ବିଷୟରେ ଜାଣିହେବ । ସେହିଭଳି ପାଣିରେ ବୁଡ଼ି ମୃତ୍ୟୁକୁ ରୋକାଯିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ କିଛି ସ୍ବେଚ୍ଛାସେବୀଙ୍କୁ ସନ୍ତରଣ ତାଲିମ ପ୍ରଦାନ କରାଯିବ। ବର୍ତ୍ତମାନ ରାଜ୍ୟରେ ମୋଟ ୮୮୯ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ନୂଆକରି ୫୫ଟିର କାମ ଚାଲିଛି । ଚିଲିକା କୂଳରେ କିଛି ସମ୍ବେଦନଶୀଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି। ରାଜ୍ୟରେ ପ୍ରଥମ କରି ସାତଭାୟା ଅଞ୍ଚଳକୁ କ୍ଲାଇମେଟ୍ ରିଫ୍ୟୁଜି ରିହାବିଲିଟେଶନ୍ ପଲିସିରେ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଏବେ ରାଜ୍ୟରେ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ୨ଟି ଗ୍ରାମ ରହିଥିବାବେଳେ ଆଗକୁ ଅଧିକ ଗ୍ରାମକୁ ସୁନାମି ମୁକାବିଲା କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ତାଲିମ ଦିଆଯିବ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ନୁହେଁ, ଅନ୍ତର୍ଜାତୀୟ ସ୍ବୀକୃତି ହାସଲ କରିଛି ।