ମାଛ ମାରୁଥିବା ବେଳେ ହେଲା ବଜ୍ରପାତ: ବାପ-ପୁଅଙ୍କ ଜୀବନ ଗଲା

ବାଲୁଗାଁ,୩୧ା୭(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଚିଲିକା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ-ପୁଅଙ୍କର ବଜ୍ରପାତରେ ଅକାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିଲିକା କୂଳ ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ତାଙ୍କ ପୁଅ ଉତ୍ତମ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ମେଘୁଆ ବର୍ଷା ରାତିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଭୟଙ୍କ ଉପରକୁ ବଜ୍ରପାତ ହୋଇଥିଲା। ଫଳରେ ନିରାଶ୍ରୟ ଚିଲିକା ଜଳରାଶି ମଧ୍ୟରେ ସେହି ଘଟଣାସ୍ଥଳରେ ହିଁ ବାପ-ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ସୋମବାର ସକାଳେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ମୃତଦେହ ଚିଲିକା ମଧ୍ୟରୁ ଉଦ୍ଧାର କରି ଶାନ୍ତି ନଗର ନିଜ ଗ୍ରାମରେ ଆଣି ରଖିଥିଲେ। ବାଲୁଗାଁ ପୋଲିସ ଖବର ପାଇ ସେଠାରୁ ମୃତଦେହ ଜବତ କରିବା ପରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଦେଇଛି। ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବା ବେଳେ ବାପ ପୁଅଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।