Categories: ଜାତୀୟ

ସିଲିଣ୍ଡର ବୋଝେଇ ଟ୍ରକ୍‌ ଉପରେ ବଜ୍ରପାତ: ୪୫୦ ସିଲିଣ୍ଡରରେ ବିସ୍ଫୋରଣ

ଭୀଲଓ୍ବାଡ଼ା,୨୪।୩: ରାଜସ୍ଥାନର ଭୀଲଓ୍ବାଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ୪୫୦ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ୍‌ ଉପରେ ବଜ୍ରପାତ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଟ୍ରକଟି ଜଳି ଯାଇଥିବାବେଳେ ଲଗାତାର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିସ୍ଫୋରଣ ଜାରି ରହିଥିଲା। ଏହାଯୋଗୁ ଜୟପୁର-କୋଟା ଜାତୀୟ ରାଜପଥ ଦୀର୍ଘ ୧୫ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବାରୁ ଯାନ ଗୁଡ଼ିକ ଅଟକି ରହିଥିଲେ। ଏହି ଘଟଣା ଟିକଡ଼ ଗାଁରେ ଘଟିଛି। ବିସ୍ଫୋରଣ ଯୋଗୁ ସିଲିଣ୍ଡରର ଲୁହା ଖଣ୍ଡ ଏକ କିଲୋମିଟର ଦୂର ଛିଟିକି ପଡ଼ିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ନସିରାବାଦରୁ କୋଟାର ବଭାନୀମଣ୍ଡି ଯାଉଥିବା ସିଲିଣ୍ଡର ବୋଝେଇ ଟ୍ରକଟି ବଜ୍ରପାତ ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାଜରାସ୍ତାରେ ସିଲିଣ୍ଡରଗୁଡ଼ିକ ଗଡ଼ିବାରେ ଲାଗିଥିଲା। ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ଜାତୀୟ ରାଜପଥ-୫୨କୁ ବନ୍ଦ ରଖାଯାଇଛି। ମଙ୍ଗଳବାର ରାତ୍ରରେ ଏହା ଘଟିଥିବାବେଳେ ବୁଧବାର ଗ୍ୟାସ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share