ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା): ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। କିଛି ସ୍ଥାନରେ ୪୦ରୁ ୫୦କି.ମି. ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି। ବାଲେଶ୍ୱରରେ ସର୍ବାଧିକ ୧୭.୬ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଏହା ତଳକୁ ମୟୂରଭଞ୍ଜ ଜିଲାର ବାରିପଦାରେ ୩.୮ ମି.ମି. ବର୍ଷା ହୋଇଛି। ଏଥିସହ ମୟୂରଭଞ୍ଜର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ସମ୍ବଲପୁର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଜଗତ୍ସିଂହପୁର ଜିଲାରେ ମଧ୍ୟ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲଙ୍ଗାନା ଯାଏ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ସୃଷ୍ଟି ନିମ୍ନଚାପରେଖା ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ କାଳବୈଶାଖୀ ଭୟ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି।
ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କଟକ ଆଦି ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୧ ତାରିଖ ବେଳକୁ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।