୫ଦିନ ଯାଏ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭ା୩(ଅନୁରାଧା ମହାରଣା)ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଥିବାବେଳେ ବର୍ଷା କାରଣରୁ ଉପକୂଳ ଜିଲାଗୁଡ଼ିକରେ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩ଦିନ ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୦ ତାରିଖ ପାଇଁ ରାଜ୍ୟରେ ପ୍ରାୟ ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ଅନ୍ୟପଟେ ଘଡ଼ଘଡ଼ି ଓ ବିଜୁଳି ଡର ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଥିରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଥିବାବେଳେ ଶନିବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୭.୭ ଡିଗ୍ରୀ ରହିଥିଲା। ଏହାସହ ରାଜ୍ୟର ଅଧିକାଂଶ ଜିଲାରେ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ୍‌ ଓ ରାୟଗଡ଼ା ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରହିଛି। ସୋମବାର ମଧ୍ୟ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ନିଂ ରହିଛି। ତେବେ ମଙ୍ଗଳବାର ରାଜ୍ୟର ପ୍ରାୟ ୮ଟି ଜିଲାରେ ବିଜୁଳି ଓ ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ। ଏଥିସହ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲା ରହିଛି। ବିଜୁଳି ଓ ଘଡ଼ଘଡ଼ି ବିପଦରୁ ସୁରକ୍ଷିତ ରହିବା ପାଇଁ ପକ୍କାଘରେ ଆଶ୍ରୟ ନେବା ଓ ବିଦ୍ୟୁତ୍‌ ଖୁଣ୍ଟଠାରୁ ଦୂରରେ ରହିବାକୁ କୁହାଯାଇଛି। ବର୍ଷା ସମୟରେ ଗଛତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି।

Share