ନିମାପଡ଼ା,୩।୧୦(ଡି.ଏନ୍.ଏ.): ନିମାପଡ଼ା ନିର୍ବାଚନମଣ୍ଡଳୀ ୧୧ନଂ. ଜୋନ୍ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଦଳ ବହୁ ଅପପ୍ରଚାର କରୁଛି। ହେଲେ ବିରୋଧି ଦଳର ଏହି ହୀନ ଅପପ୍ରଚାରରେ ମୁଁ ଆଦୌ ବିଚଳିତ ନୁହେଁ। ନିମାପଡ଼ାଠାରେ ବିଜେଡି ପକ୍ଷରୁ ରବିବାର ଆୟୋଜିତ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ସମାରୋହ ଓ ସାଧାରଣ ସଭାରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ବିରୋଧୀ ଦଳର ଏହି ହୀନ ଅପପ୍ରଚାର ପଥରରେ ମୁଣ୍ଡ ପିଟିବା ସଦୃଶ ବୋଲି କହିଛନ୍ତି। ଅନ୍ୟପକ୍ଷେ ନିମାପଡ଼ାରେ ଆଦୌ ସତ୍ତା ନ ଥିବା ବିରୋଧୀ ଦଳ ମନ୍ତ୍ରୀ ଦାଶଙ୍କୁ ଅଯଥାରେ ବଦ୍ନାମ କରିବାକୁ ହୀନ ପ୍ରୟାସ ଚଳାଇଛି। ଏଥିସହ ଏକ ଦୁଃଖଦ ଘଟଣାକୁ ରାଜନୀତିକରଣ କରୁଛି। ହେଲେ ବିରୋଧୀ ଦଳର ଏହି ମିଥ୍ୟା, ଭିତ୍ତିହୀନ, ଅଭିସନ୍ଧିମୂଳକ ପ୍ରୟାସ କେବେ ବି ଫଳପ୍ରଦ ହେବନାହିଁ ବୋଲି ବିଜେଡି ନିମାପଡ଼ା ବ୍ଲକ ସଭାପତି ଅଶୋକ ସାହୁ, ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକରାୟ ପ୍ରମୁଖ ସ୍ପଷ୍ଟ ଭାବେ କହିଛନ୍ତି।