Categories: ଜାତୀୟ

ଏନଡିଏ ଏମୋଇବା ଭଳି, ଏହାର କୌଣସି ଆକାର ନାହିଁ: ଭାଜପାକୁ ଉଦ୍ଧବଙ୍କ ଜବାବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନଡିଏକୁ ଏମୋଇବା ସହ ତୁଳନା କରି କହିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର କୌଣସି ସ୍ଥିର ରୂପ ନାହିଁ। ବିରୋଧୀ ଦଳକୁ ଅହଂକାରୀ ଏବଂ “ଇଣ୍ଡିଆନ ମୁଜାହିଦ୍ଦିନ” ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରି ଉଦ୍ଧବ କହିଛନ୍ତି ଏନଡିଏକୁ ଅହଂକାରୀ ଏନଡିଏ କୁହାଯିବା ଉଚିତ। ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲିକୁ ସମ୍ବୋଧିତ କରି ସେ ତେଲେଙ୍ଗାନା ସିଏମ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ବିରୋଧୀ ଦଳ ’ଇଣ୍ଡିଆ’ କିମ୍ବା ଭାଜପା କାହା ସହ ଅଛନ୍ତି ବୋଲି ବୋଲି ପଚାରିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆରେ ଜାତୀୟତାବାଦୀ ଦଳ ଅନ୍ତର୍ଭୁକ୍ତ, ଯେଉଁମାନେ ଦେଶରେ ଗଣତନ୍ତ୍ରର ସୁରକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ଏନଡିଏରେ ଯୋଗଦେଉଥିବା ଅଧିକାଂଶ ଦଳରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଦଳ ଭାଙ୍ଗି ଭାଜପାରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବିଆରଏସ ବିଷୟରେ ଉଲ୍ଲେଖ କରି ଉଦ୍ଧବ କହିଛନ୍ତି ଯଦି ଆପଣ ଦେଶ ସହ ଅଛନ୍ତି, ତେବେ ବିରୋଧୀ ଦଳରେ ଯୋଗ ଦିଅନ୍ତୁ କିମ୍ବା ଭାଜପା ସହ ଖୋଲାଖୋଲି ଭାବେ ଥିବା ଘୋଷଣା କରନ୍ତୁ। ଏଭଳି ଭୋଟ ସୁରକ୍ଷିତ କରନ୍ତୁ। ବିଭାଜନ କରନ୍ତୁ ନାହିଁ।

ବିଆରଏସ ପ୍ରଥମେ ନିଜକୁ ଦେଖିବା ଉଚିତ, ଏହା ଭଲ ସ୍ଥିତିରେ ନାହିଁ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ବିରୋଧରେ ନୁହେଁ ବରଂ ଦେଶ ପାଇଁ ଏକଜୁଟ ହୋଇଛନ୍ତି। ଭାଜପା ହେଉଛି “ଆୟା ରାମ ଗୟା ରାମ”। ଦଳକୁ କ୍ଷମତାକୁ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଭାଜପା କ୍ୟାଡରଙ୍କ ପ୍ରତି ମୁଁ ଦୟା ପ୍ରଦର୍ଶନ କରୁଛି। ଏହା କୁହାଯାଉଥିଲା ଏହା ଏକ ଡବଲ ଇଞ୍ଜିନ ସରକାର ଏବଂ ବର୍ତ୍ତମାନ ଅଜିତ ପାୱାରଙ୍କ ତୃତୀୟ ଇଞ୍ଜିନ ଯୋଡା ଯାଇଛି। ମୁଁ ଭାବୁଛି ଆଉ କେତେ ଇଞ୍ଜିନ ଯୋଡାଯିବ। ଏହା ଏକ ମାଲବାହୀ ଟ୍ରେନ ।

 

Share