Categories: ଜାତୀୟ

ଶେଖ ହାସିନାଙ୍କ ଭଳି…, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମଏଲସି ଇଭାନ ଡି’ସୁଜା ସୋମବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ତାଙ୍କ ଆଦେଶ ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କୁ କର୍ନାଟକ ଛାଡିବାକୁ ପଡିବ।
ଇଭାନ ଡି’ସୁଜା କହିଛନ୍ତି, ଯଦି ମୁଦା ସ୍କାମ ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ପ୍ରତ୍ୟାହାର ନକରନ୍ତି କିମ୍ବା ରାଷ୍ଟ୍ରପତି ତାଙ୍କୁ ପ୍ରତ୍ୟାହାର କରିବାକୁ କୁହନ୍ତି ନାହିଁ, ତେବେ କର୍ନାଟକରେ ମଧ୍ୟ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ।

ସେ କହିଛନ୍ତି, ପରବର୍ତ୍ତୀ ସମୟରେ ଆମେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିରୋଧ କରିବୁ। ବାଂଲାଦେଶର ବିକ୍ଷୋଭକାରୀମାନେ ପିଏମ ହାଉସରେ ପ୍ରବେଶ କରିବା ପରେ ଶେଖ ହାସିନାଙ୍କୁ ତାଙ୍କ ଘର, ପଦ ଏବଂ ଦେଶ ଛାଡି ପଳାଇବାକୁ ପଡିବା ପରି ଆମେ ମଧ୍ୟ ତାହା କରିବୁ। ଡି’ସୁଜାଙ୍କ ଏହି ବୟାନ ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି।
ସୂଚନାଯୋଗ୍ୟ, ମୈଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (ମୁଦା) ଜମି ଆବଣ୍ଟନ ମାମଲାରେ ଜଣେ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଆଧାରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମୋଦନ ଦେଇଛନ୍ତି।

Share