ନୀଳକନ୍ଦରକୁ ବାହୁଡ଼ିଲେ ଲୀଳାମୟ

ପୁରୀ,୧l୭( ଅଜିତ୍ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମ୍‌କ ଯାତ୍ରା ସାରି ପବିତ୍ର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ବଡ଼ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମା’ ସୁଭଦ୍ରାଙ୍କଙ୍କ ସହ ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି l ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମନ୍ଦିରକୁ ବିଜେ ହେବା ସହ ଚଳିତ ବର୍ଷର ଘୋଷଯାତ୍ରା ସମ୍ପନ୍ନ ହୋଇଛି l ଭକ୍ତଙ୍କ ସମାଗମ ହରିବୋଲ , ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତଙ୍କ ଗହଣରେ ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରି ବିଜେ ପହଣ୍ଡି ଅନୁଷ୍ଠିତ ହୋଇଥିଲା l
ରଥ ଉପରେ ନୀତିକାନ୍ତି ସରିବା ପରେ ଗୋଟି ପହଣ୍ଡିରେ ଠାକୁରମାନେ ରତ୍ନ ସିଂହାସନକୁ ଶନିବାର ବିଜେ କରିଛନ୍ତି l ରବିବାରଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ । ସେହିପରି ଭକ୍ତମାନେ ନୀଳାଚଳ ଅବଢା ପାଇବେ l

ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ସିଂହଦ୍ୱାର ବନ୍ଦ କରାଯାଇଥିଲା lମହାପ୍ରଭୁ ସିଂହଦ୍ୱାରକୁ ଆସିବା ମାତ୍ରେ ତାହା ଫିଟାଇ ଦିଆଯାଇଥିଲା । ପରେ ମହାପ୍ରଭୁ ପହଣ୍ଡି ହୋଇ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ । ସେଠାରେ ଜୟ ବିଜୟ ଦ୍ୱାର ବନ୍ଦ ରହିଥିଲା । ସେଠାରେ ବଚନିକା ହୋଇଥିଲା । ମହାପ୍ରଭୁଙ୍କ ପକ୍ଷରୁ ଦଇତାପତି ଏବଂ ମହାଲକ୍ଷ୍ମୀଙ୍କ ପଟୁ ଭିତରଛ ମହାପାତ୍ର ବଚନିକା ନୀତି ସମ୍ପାଦନ କରିଥିଲେ । ବଚନିକା ନୀତି ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ଖୋଲା ଯାଇଥିଲା । ପରେ ଭଣ୍ଡାର ଘର ନିକଟରେ ମହାଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ବିଜେ ହୋଇଥିଲେ l ସେଠାରେ ଗଇଁଠାଳ ଫିଟାଯାଇଥିଲା । ପରେ ବନ୍ଦାପନା ଅନୁଷ୍ଠିତ ହୋଇଥିଲା । ପରେ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ରୋସଗୋଲା ଭୋଗ କରାଯାଇଥିଲା l ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ମହାପ୍ରଭୁ ଘଷା ବିଡିଆ ମଣୋହୀ ହୋଇ ରତ୍ନସିଂହାସନକୁ ବିଜେ କରିଥିଲେ l

Share