ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍ ରେଳ ନେଟ୍ଓ୍ବର୍କ। ଭାରତର ମୋଟ ଟ୍ରେନ୍ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍ ଚାଳକ ଲୋକୋ ପାଇଲଟ୍ ଅତି ଦୟନୀୟ ଅବସ୍ଥାରେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟ ୧୪ ହଜାର ଇଞ୍ଜିନରେ ସେମାନଙ୍କ ଲାଗି ପାଣି ନାହିଁ କି ବସିବାକୁ ଚେୟାର ମଧ୍ୟ ନାହିଁ। ଲୋକୋ ପାଇଲଟ୍ଙ୍କୁ ୧୨ ଘଣ୍ଟା ଏପରି କି ବେଳେବେଳେ ୧୪ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ାହୋଇ ଡ୍ୟୁଟି କରିବାକୁ ପଡ଼ୁଛି। ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ପାଇଲଟ୍ ମଧ୍ୟ ଏହି ଅସୁବିଧା ଭୋଗୁଛନ୍ତି। ମାତ୍ର ୯୭ ଟ୍ରେନ୍ରେ ଟଏଲେଟ୍ ରହିଛି। ଯେତେବେଳେ ବି ଟ୍ରେନ୍ ଦୁର୍ଘଟଣା ଘଟିଥାଏ, ଲୋକୋ ପାଇଲଟ୍ଙ୍କ ତ୍ରୁଟି ଖୋଜିବାରେ ସମସ୍ତେ ଲାଗିପଡ଼ନ୍ତି। କିନ୍ତୁ ସେମାନଙ୍କ ଅସୁବିଧା ଉପରେ କେହି ଦୃଷ୍ଟି ଦିଅନ୍ତି ନାହିଁ। ଦୁର୍ଘଟଣା ଘଟିଲେ ଅଫିସରମାନେ ଏହି ଅସୁବିଧା ଉପରେ ଆଲୋଚନା କରି କିଛିଦିନ ସୁଧାର ପାଇଁ ଉଦ୍ୟମ କରନ୍ତି। ପରେ ସବୁ ପୁଣି ପୂର୍ବ ଭଳି ହୋଇଯାଏ। ୨୦୧୬ରେ ମାନବାଧିକାର କମିଶନ ଟ୍ରେନ୍ଗୁଡ଼ିକରେ ଏସି ଏବଂ ଟଏଲେଟ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଉପରେ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ। ରନିଂ ଷ୍ଟାଫ୍ଙ୍କୁ ୯ ଘଣ୍ଟାରୁ ଅଧିକ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଗାଇଡ୍ଲାଇନ୍ ଆସିଥିଲା। ତାକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ। ବିଳାସପୁର ରେଳମଣ୍ଡଳର ସିଂହପୁର ଷ୍ଟେଶନରେ ଏପ୍ରିଲ ୧୯ରେ ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହେବାରୁ ଜଣେ ଲୋକୋ ପାଇଲଟ୍ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମାଲଗାଡ଼ି ଚଳାଉଥିବା ଲୋକୋପାଇଲଟ୍ ଲଗାତର ୧୪ ଘଣ୍ଟା ଧରି ଡ୍ୟୁଟି କରି କ୍ଳାନ୍ତ ହୋଇଯାଇଥିଲେ। ଏହି ରିପୋର୍ଟ ମଧ୍ୟ ପୂର୍ବ ରିପୋର୍ଟଗୁଡ଼ିକ ଭଳି ନାଲିଫିତା ତଳେ ନିଖୋଜ ହେବାକୁ ବସିଲାଣି।
ଓଭରଟାଇମ୍ ଖଟଣି
ଉସ୍ଲାପୁର ଷ୍ଟେଶନ, ସମୟ ଅପରାହ୍ନ ୩ଟା। ଏକ ମାଲବାହୀ ଟ୍ରେନ୍ ପ୍ରାୟ ଘଣ୍ଟାଏ ଧରି ମିଡିଲ ଲାଇନ୍ ଉପରେ ଛିଡ଼ା ହୋଇଥିଲା। ଏହାର ଲୋକୋ ପାଇଲଟ୍ ରେଲଓ୍ବେର ନିୟମ ଅନୁସାରେ ସୂଚନା ଦେଇ ନ ଥିଲେ। ସେ କେବଳ ଏତିକି କହିଥିଲେ, ଷ୍ଟେଶନ, ଆଉଟର ବା ଘଞ୍ଚ ଜଙ୍ଗଲ-ପାହାଡ଼ଗୁଡ଼ିକରେ ଅପେକ୍ଷା କରିବା ଅଭ୍ୟାସ ହୋଇଗଲାଣି। ଲୋକୋ ପାଇଲଟ୍ଙ୍କ ସଂଖ୍ୟା ୫୦-୬୦ ହଜାରରେ ସୀମିତ ହୋଇଯାଇଛି। ଏଥିପାଇଁ ଓଭରଟାଇମ୍ କାମ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ଗ୍ରୀନ୍ ସିଗ୍ନାଲ୍ ମିଳିବା ଯାଏ ପ୍ରତୀକ୍ଷା
ପାସେଞ୍ଜର ଟ୍ରେନ୍ଗୁଡ଼ିକର ଲୋକୋ ପାଇଲଟ୍ଙ୍କୁ ସିଗ୍ନାଲ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥାଏ। କିନ୍ତୁ ମାଲବାହୀ ଟ୍ରେନ୍ ଚଳାଉଥିବା ଲୋକୋ ପାଇଲଟ୍ଙ୍କୁ ସବୁଜ ସଙ୍କେତ ପାଇଁ ଅନେକ ଘଣ୍ଟା ଧରି ଖରା ଓ ରାତିର ଅନ୍ଧାରରେ ପ୍ରତୀକ୍ଷା କରିବାକୁ ପଡ଼ିଥାଏ। ସେମାନେ ଟ୍ରେନ୍ରୁ ଓହ୍ଲାଇପାରନ୍ତି ନାହିଁ। ଟ୍ରେନ୍ରେ ହିଁ ଥାଇ ସଜାଗ ହେବାକୁ ପଡ଼େ, କେତେବେଳେ ଗ୍ରୀନ୍ ସିଗ୍ନାଲ ଆସିବ ଏବଂ ଟ୍ରେନ୍ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବ।
ମହିଳା ଲୋକୋ ପାଇଲଟ୍ କୁହନ୍ତି…
ଟଏଲେଟ୍ ବ୍ୟବହାର କରିବା ପାଇଁ ଆମକୁ ଇଞ୍ଜିନ୍ କ୍ୟାବିନେଟ୍ରୁ ଓହ୍ଲାଇ ପ୍ଲାଟ୍ଫର୍ମ କିମ୍ବା ନିକଟସ୍ଥ କୋଚ୍କୁ ଧାଇଁବାକୁ ପଡ଼ିଥାଏ। କିନ୍ତୁ ଟ୍ରେନ୍ର ସୀମିତ ରହଣି କାଳ ମଧ୍ୟରେ ଏହା ସାରିବାକୁ ପଡ଼େ। ତେଣୁ ଆମ ମଧ୍ୟରୁ ଅଧିକାଂଶ ଲୋକୋ ପାଇଲଟ୍ ଡ୍ୟୁଟି ସମୟରେ ଅଧିକ ପାଣି ପିଇବା ଓ ଖାଦ୍ୟ ଖାଇବାକୁ କୁଣ୍ଠାବୋଧ କରିଥାଆନ୍ତି। ଏକକାଳୀନ ୧୧ ଘଣ୍ଟିଆ ଡ୍ୟୁଟି ଭିତରେ ଖାଦ୍ୟ ଓ ପାନୀୟ ଉପରେ ନିୟନ୍ତ୍ରଣ କିଡ୍ନୀ ଷ୍ଟୋନ୍ ଭଳି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ପାଲଟେ। ପରିସ୍ରା କରିବାକୁ ନ ଯିବା ଯୋଗୁ ମୂତ୍ରାଶୟରେ ସଂକ୍ରମଣ ମଧ୍ୟ ହୋଇଥାଏ। ରେଲଓ୍ବେ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।