ଆନ୍ଧ୍ର ପାଣି, ଓଡ଼ିଶାର ବିଦ୍ୟୁତ୍‌ରେ ସୀମିତ ଉନ୍ନତି

ନନ୍ଦପୁର, ୧୫ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମାଞ୍ଚଳକୁ ପ୍ରଶାସନ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏହାର ଉଦାହରଣ ପାନ୍ଥଲୁଙ୍ଗ ପଞ୍ଚାୟତର ୯ନଂ. ୱାର୍ଡ। ଓ୍ବାର୍ଡର ପଣସପୁଟ ଗ୍ରାମରେ ଓଡ଼ିଶା ସରକାର କେବଳ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାବ୍ୟତୀତ ଗ୍ରାମବାସୀଙ୍କୁ ଏଯାଏ ରାସ୍ତା, ପାଣି, ପ୍ରାକ୍‌ ଶିକ୍ଷା, ସ୍ବାସ୍ଥ୍ୟସେବା, ଭତ୍ତା, ଆବାସ ଗୃହ ଆଦି ସରକାରୀ ସୁବିଧା ସୁଯୋଗ କିଛି ମିଳିନାହିଁ। ଗ୍ରାମବାସୀଙ୍କୁ ଏସବୁ ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି।
ଗ୍ରାମବାସୀଙ୍କ ପାନୀୟ ଜଳ ବ୍ୟବସ୍ଥା ଆନ୍ଧ୍ର ପକ୍ଷରୁ କରାଯାଇଛି। ଗ୍ରାମରେ ଟାଙ୍କି ସ୍ଥାପନ କରି ଝରଣାପାଣିକୁ ଟ୍ୟାପ ମାଧ୍ୟମରେ ଗ୍ରାମବାସୀଙ୍କୁ ଯୋଗାଣ ହେଉଥିବା ଦେଖିବାକୁ ମିଳୁଛି। କୌଣସି ଆବଶ୍ୟକ ସାମଗ୍ରୀ ପାଇବାକୁ ହେଲେ ଗ୍ରାମରୁ ୪କି.ମି. ଦୂର ଅଣ୍ଡରଗୁଡା ଗ୍ରାମକୁ ଚାଲି ଚାଲି ଆସିବାକୁ ପଡେ ବୋଲି ୱାର୍ଡସଭ୍ୟା ବତୀ ରାମ୍ପା କହିଛନ୍ତି। ପଣସପୁଟ ଗ୍ରାମରେ ୩୦ ପରିବାର ରହୁଛନ୍ତି। ଜନସଂଖ୍ୟା ୧୫୦ରୁ ଊର୍ଦ୍ଧ୍ୱ ରହିଛି। ପାହାଡ଼ ମଥାନରେ ଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଗ୍ରାମକୁ ଆନ୍ଧ୍ର ଦେଉଥିବା ପାଣି ଗ୍ରାମବାସୀ ବ୍ୟବହାର କରୁଛନ୍ତି। ୪ କି.ମି. ଦୂର ଅଣ୍ଡରଗୁଡା ଗ୍ରାମକୁ ଗଲେ ଅଙ୍ଗନୱାଡି, ବିଦ୍ୟାଳୟ, ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ବଜାର ସୁବିଧା ମିଳେ ବୋଲି କହନ୍ତି ବତୀ। ଚାଉଳ, ଭତ୍ତା, ସୁବିଧା ଅସୁବିଧା ସମ୍ପର୍କରେ ଅଭିଯୋଗ କରିବାକୁ ହେଲେ ୧୫ କି.ମି. ଦୂର ପାନ୍ଥଲୁମ ପଞ୍ଚାୟତ ଓ ୬୦କି.ମି. ଦୂର ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଯିବାକୁ ପଡ଼େ ବୋଲି କହନ୍ତି ସେ। ଗ୍ରାମର ୮୦ ପ୍ରତିଶତ ଲୋକ ଜିଲା ସଦର ମହକୁମା କଣ ଜାଣିନାହାନ୍ତି। ଗ୍ରାମର ୦ରୁ୬ ବର୍ଷର ଶିଶୁ, କିଶୋରୀ କିଶୋର ଓ ଅଧାରୁ ଅଧିକ ଲୋକଙ୍କ ଆଧାର କାର୍ଡ ନାହିଁ। ଫଳରେ ସେମାନେ ରାଶନ କାର୍ଡ ଓ ଅନ୍ୟ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବତୀ ପ୍ରକାଶ କରିଛନ୍ତି।
ଗ୍ରାମରେ ଆଜିଯାଏ କାହାକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। କେତେ ଜଣ ଗ୍ରାମବାସୀ ଆନ୍ଧ୍ରରୁ ଆସୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀଙ୍କ ସହାୟତାରେ ଆନ୍ଧ୍ର ପକ୍ଷରୁ ମିଳୁଥିବା ରାଶନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା, ୪/୫ ଜଣ ପିଲାଙ୍କ ପାଇଁ ଶିକ୍ଷା ସହାୟତା ପାଇଛନ୍ତି। ଗ୍ରାମର ଲିମା ହନ୍ତାଳଙ୍କ ସ୍ବାମୀ ମୋହନ ରାଓ ହନ୍ତାଳଙ୍କ ମୃତ୍ୟୁର ୧୨ ବର୍ଷ ପରେ ଓ ନାଗ ଦେବୀ ହନ୍ତାଳ ତାଙ୍କ ସ୍ବାମୀ ଜୟ ହନ୍ତାଳଙ୍କ ମୃତ୍ୟୁର ୨ ବର୍ଷ ପରେ ମଧ୍ୟ ବିଧବାଭତ୍ତା ପାଇନାହାନ୍ତି। ଏହି ୨ ମହିଳା ନିଜ ନିଜ ସ୍ବାମୀଙ୍କ ମୃତ୍ୟୁଜନିତ ପ୍ରମାଣ ପତ୍ର କିପରି ପାଇବେ ଜାଣି ନ ଥିବାରୁ ଜାତୀୟ ପରିବାର ମଙ୍ଗଳ ଯୋଜନା, ଭତ୍ତା ଆଦି ସୁବିଧାରୁ ବଞ୍ଚତ୍ତ ହୋଇଥିବା ବତୀ କହିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ସୀମାନ୍ତ ଅଞ୍ଚଳ ପ୍ରତି କଡା ନଜର ରଖିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଆଗାମୀ ଦିନରେ ପଣସପୁଟ ଗ୍ରାମ ପରିଦର୍ଶନ କରାଯାଇ ଉଭୟ ମହିଳାଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।