କୂଅଖୋଳାରେ ସୀମିତ ଜଳପ୍ରକଳ୍ପ

ଲୋଇସିଂହା, ୭ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଗାଁ ା କିଡ଼ନୀ ରୋଗରେ ଏହି ଗଁ।ର ବହୁ ଲୋକଙ୍କ ଜୀବନ ଗଲାଣି। ଆଉ କେତେକ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହା ଜଣାପଡିଲା ପରେ ପ୍ରଶାସନ ପକ୍ଷରୁ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଥିଲା। ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ପାଇଁ ଗ୍ରାମରେ ଏକ କୂଅ ଖୋଳାଯାଇଛି। ହେଲେ ୨ ବର୍ଷ ହେଲା ପ୍ରକଳ୍ପ କାମ ଅଗ୍ରଗତି ହେଉନାହିଁ। କୂଅ ଖୋଳାରେ ପ୍ରକଳ୍ପ ସୀମିତ ରହିଛି। ତେଣୁ ନଳକୂପରୁ ବାହାରୁଥିବା ଫ୍ଲୋରାଇଡଯୁକ୍ତ ପାଣି ପିଇ ବିପଦମୁହଁକୁ ଠେଲି ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପର ଜିଲା ଛକୋରମାଲ ପଞ୍ଚାୟତ ସୀମାନ୍ତକୁ ଲାଗି ରହିଛି ୧ ୱାର୍ଡ ବିଶିଷ୍ଟ କଦଳୀପାଲି ଗଁ। । ଗ୍ରାମରେ ଡୁମାଲ, ଆଦିବାସୀ, ଦଳିତ ଆଦି ୧୩୦ପରିବାର ବାସ କରୁଛନ୍ତି। କିଛିବର୍ଷ ପୂର୍ବରୁ ଗ୍ରାମରେ କିଡନୀ ରୋଗ ରୋଗ ଆତଙ୍କ ଦେଖା ଦେଇଥିଲା। ଏହାର ପ୍ରଭାବରେ ବିଗତ କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏବେବି କେତେକ ଆକ୍ରାନ୍ତ ହୋଇ ଓଷଧ ଖାଉଛନ୍ତି। କିଡ଼ନୀ ଆତଙ୍କ ସମ୍ପର୍କରେ ଗଣମାଧ୍ୟରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗ ତପତ୍ରତା ଦେଖାଇଥିଲା। ଗ୍ରାମରେ ସ୍ବାସ୍ଥ୍ୟମେଳା ଆୟୋଜନ କରିବା ସହ ଗ୍ରାମର ନଳକୂପ ପାଣି ପରୀକ୍ଷଣ ପାଇଁ ପଠାଯାଇଥିଲା। ଗ୍ରାମର ସ୍କୁଲ ଏବଂ ବସ୍ତି ତଳିମୁଣ୍ଡରେ ଗୋଟିଏ ଲେଖାଏ ନଳକୂପ ଥିବାବେଳେ ଦଳିତ ବସ୍ତିରେ ଥିବା ୨ଟି ନଳକୂପ ପାଣି ପରୀକ୍ଷଣ ପାଇଁ ପଠାଯାଇଥିଲା। ସ୍କୁଲ ନିକଟ ଏବଂ କେତେକ ନଳକୂପରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ଜଣାପଡିଥିଲା। ଫ୍ଲୋରାଇଡଯୁକ୍ତ ପାଣି ବାହାରୁ ଥିବା ନଳକୂପ ପାଣି ବ୍ୟବହାର ପାଇଁ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ବାରଣ କରାଯାଇଥିଲା। ପ୍ରଶାସନ ତରଫରୁ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗାଁ ପୋଖରୀ ଉପରମୁଣ୍ଡାରେ ଏକ କୂଅ ଖୋଳାଯାଇଛି। ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପାନୀୟ ଜଳଯୋଗାଣ ଦିଗରେ ଆନ୍ତରିକତା ଦେଖାଉନାହିଁ। ଏହି ନିଦାଘ ଗ୍ରୀଷ୍ମରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଅନ୍ୟନୋପାୟ ହୋଇ କଟକଣା ଲଗାଯାଇଥିବା ଫ୍ଲୋରାଇଡଯୁକ୍ତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରସାଦ ସାମନ୍ତରା କହିଛନ୍ତି ବାରମ୍ବାର ତାଗିଦ୍‌ ପରେ ମଧ୍ୟ ଠିକାଦାରଙ୍କ ଅବହେଳାରୁ କାମ ଆଗଉନାହିଁ। ସପ୍ତାହକ ମଧ୍ୟରେ କାମ ଆରମ୍ଭ ହେବ ସେ କହିଥିଲେ।