୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ ପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାରେ ଶ୍ରଦ୍ଧାଳୁ। ଶନିବାର ଅପରାହ୍ନରେ ଅଗ୍ନିଶମ ବିଭାଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପରିସର ଓ ଚର୍ତୁପାର୍ଶ୍ୱକୁ ବିଶୋଧନ କରାଯାଇଛି। ଏହାସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

କରୋନା ସଂକ୍ରମଣ ଲାଗି ଗତ ମାର୍ଚ୍ଚରୁ ଲିଙ୍ଗରାଜ ମନ୍ଦିର ବନ୍ଦ ରହିଥିଲା। ଦୀର୍ଘ ୯ ମାସ ପରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ପୂଜକ ପରିବାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ନୂଆବର୍ଷ ଅଥାତ୍‌ ଜାନୁଆରୀ ୧ ଓ ୨ରେ ସମ୍ଭାବ୍ୟ ଅଧିକ ଭିଡ଼କୁ ନଜରରେ ରଖି ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯିବ। ଏହାପରେ ୩ରୁ ୫ ତାରିଖ ମଧ୍ୟରେ ରାଜଧାନୀବାସୀଙ୍କୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ। ଜାନୁୟାରି ୬ରୁ ୩୧ ପର୍ଯ୍ୟନ୍ତ ରାଜ୍ୟ ଓ ବାହାରୁ ସର୍ବସାଧାରଣ ଦର୍ଶନ ହେବ। ମନ୍ଦିର ପରିସରରେ ଏକକାଳୀନ ସର୍ବାଧିକ ୫୦୦ ଲୋକ ରହିପାରିବେ। ଦର୍ଶନ ନିମନ୍ତେ କୋଭିଡ୍‌ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ। ମନ୍ଦିରକୁ ପ୍ରବେଶ ଓ ଦର୍ଶନ ସମୟରେ କୋଭିଡ୍‌ ନିୟମର କଡ଼ାକଡ଼ି ପାଳନ କରାଯିବ। ପ୍ରବେଶ ଦ୍ୱାରରେ ସମସ୍ତ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ। ପୁରୀ ଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ସେହିଭଳି ମାସ୍କ ପରିଧାନ, ସାନିଟାଇଜେଶନ ସହ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ହେବ। ଗର୍ଭଗୃହରେ ଦର୍ଶନ ଲାଗି ଅନୁମତି ଦିଆଯିବନାହିଁ। ଆଡ଼ପ ମଣ୍ଡପ ନିକଟରେ ରହି ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ।

Share