ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ଯାତ୍ରା ୭ବର୍ଷ ହେବ ବନ୍ଦ ରହିଛି। ଚଳିତ ବର୍ଷ ଏହି ଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ଗୁରୁବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସର୍କିିଟ ହାଉସ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏମ୍‌ସି ଅଧିକାରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବହୁ ବିଚାରବିମର୍ଶ ପରେ ଏହି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଫଳରେ ଜିଲାପାଳ ମହାପାତ୍ର ବିରକ୍ତି ପ୍ରକାଶ କରି ବୈଠକକୁ ବାତିଲ କରିଥିଲେ। ଫଳରେ ଚଳିତ ବର୍ଷ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବାନେଇ ପୁଣି ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଆଇନଜୀବୀ ବିଶ୍ୱନାରାୟଣ ନାୟକ କହିଛନ୍ତି, ହାଣ୍ଡିଭଙ୍ଗା ଯାତ୍ରା ସମ୍ପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନ କିମ୍ବା ସେବାୟତ ଭ୍ରୂକ୍ଷେପ ନ କରିବାରୁ ଏଭଳି ପରିସ୍ଥିତି ଉପୁଜିଛି।

Share