ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣାରେ କ୍ରାଇମ ସିନ୍‌ ରିକ୍ରିଏଶନ କରିଛି ପୋଲିସ। ୨ ଲୁଟେରାଙ୍କୁ ନେଇ ପୋଲିସ୍‌ ଲୁଟ୍‌ ଘଟଣାର ଡେମୋ କରିଛି। ଏଟିଏମ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରାଯାଇଛି। ଏଟିଏମ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ୭ ଦିନ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରବିବାର ଏହି ୨ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଗିରଫ କରିଥିଲା ପୋଲିସ। ଟଙ୍କା ଲୁଟ୍‌ କରି କୋରିୟରରେ ବାଂଲାଦେଶ ପଠାଉଥିଲେ ଏହି ଲୁଟେରା। ଏଟିଏମ ଲୁଟ୍‌ କରି ଭୁବନେଶ୍ବରରୁ ବସ୍‌ ଯୋଗେ ବିଶାଖାପାଟନମ ଦେଇ ବାଙ୍ଗାଲୋର ଖସି ପଳାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବେଳେ ଲୁଟ୍‌ ପଛରେ ଅଣ ଓଡିଆ ଲୁଟେରା ଥିବା ସନ୍ଦେହ କରିଥିଲା ପୋଲିସ। ଏହି ଗ୍ୟାଙ୍ଗ ବାଙ୍ଗାଲୋରର ଏକ ଏଟିଏମକୁ ଟାର୍ଗେଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି।

Share