ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…

ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ  ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ ସିଂହକୁ ଧରାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଖବର ପାଇ ଘର ଭିତରେ ରହିବାକୁ ଲୋକଙ୍କୁ ନିବେଦନ କରିଥିଲା। ଲାଡିସପୋଲି ମେୟର ଆଲେସାଣ୍ଡ୍ରୋ ଗ୍ରାଣ୍ଡୋ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଥିବାବେଳେ ପୋଲିସ ଏବଂ ସର୍କସ କର୍ମଚାରୀମାନେ ସିଂହକୁ ଧରିବାକୁ ଚେଷ୍ଟା କରିଥିଲେ।

ବହୁ ପରିଶ୍ରମ ପରେ ପୋଲିସ, ସର୍କସ କର୍ମଚାରୀ ଏବଂ ପ୍ରାଣୀ ଚିକିତ୍ସକ ସିଂହକୁ ଧରିବାରେ ସକ୍ଷମ ହୋଇଥିଲେ। ରାଇଫଲରେ ସଜ୍ଜିତ ତିନି ପ୍ରାଣୀ ଚିକିତ୍ସକ ସିଂହକୁ ଖୋଜି ଟ୍ରାଙ୍କୁଲାଇଜର ସାହାଯ୍ୟରେ ଗୁଳି ଚଳାଇବାରେ ସଫଳ ହୋଇଥିଲେ, କିନ୍ତୁ ତାକୁ ଚେତାଶୂନ୍ୟ କରିବାରେ ବିଫଳ ହୋଇଥିଲେ।

ଏହି ସମୟରେ କିମ୍ବା ନାମକ ଏହି ସିଂହର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସିଂହ କିପରି ଆତଙ୍କ ସୃଷ୍ଟି କରିଥିଲା ତାହା ଦେଖିବାକୁ ମିଳୁଛି।

ପୋଲିସ ଏବଂ ସର୍କସ କର୍ମଚାରୀମାନେ ବହୁ ଘଣ୍ଟା ଧରି ସିଂହ ଧରିବା କାର୍ଯ୍ୟରେ ନିୟୋଜିତ ଥିଲେ। ଶେଷରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ତାକୁ ଦ୍ୱିତୀୟ ଥର ପାଇଁ ଚେତାଶୂନ୍ୟ କରାଯାଇଥିଲା। କିନ୍ତୁ ସିଂହ ଉପରେ ଔଷଧର କୌଣସି ପ୍ରଭାବ ପଡ଼ି ନ ଥିଲା। ପରେ ସେ ଦୌଡ଼ି ପଳାଇଥିଲା।

ସାଙ୍ଗୁଇନାରା ହ୍ରଦ କୂଳରେ ଏକ କାଦୁଅ ଅଞ୍ଚଳରେ ଅଟକି ରହିବା ସିଂହକୁ ଶେଷରେ ରାତି ୧୦ ଟାରେ କାବୁ କରାଯାଇଥିଲା। ରୋନି ରୋଲର ସର୍କସରୁ ସିଂହ କିପରି ନିଜ ଯନ୍ତାରୁ ବାହାରକୁ ଆସିଲା ତାହା ଅଧିକାରୀମାନେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି।

 

Share