ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଜୁନାଗଢ଼ ଜିଲାରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗର ସିସିଏଫ୍‌ ଦୁଶାନ୍ତ ଭାସାଭଡା କହିଛନ୍ତି ଯେ, ନିକଟରେ ଏକ ସିଂହର ଲାଇଭ୍‌ ଶୋ’ କରି ଅଭିଯୁକ୍ତ ଧରାପଡ଼ିବା ପରେ କିଛି ଲୋକ ଗିର୍‌ ଜଙ୍ଗଲ ଅନ୍ତର୍ଗତ ଗିର୍‌ ଗଦା ନିକଟ ଘାଟଓ୍ବାଡ ଗ୍ରାମରେ ଗୋରୁ ବାନ୍ଧି ସିଂହଙ୍କୁ ଖାଇବାକୁ ଦେଇ ଭିଡିଓ ପ୍ରସ୍ତୁତ କରିଥିଲେ।

ସିଂହ ଶିକାର ପାଇଁ ପହଞ୍ଚିବା ମାତ୍ରେ ସେଠାରେ ଥିବା ଲୋକମାନେ ସିଂହର ଏକ ଭିଡିଓ ପ୍ରସ୍ତୁତ କରି ସିଂହ ସହିତ ସେଲ୍‌ଫି ନେଇଥିଲେ। ଯାହା ଓ୍ବାଇଲ୍ଡ ଲାଇଫ୍‌ ଆକ୍ଟ ଅନୁଯାୟୀ ଏକ ଆଇନଗତ ଅପରାଧ ଅଟେ।

ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତେ ଘାଟଓ୍ବାଡର ବାସିନ୍ଦା ତଥା ଜାମଓ୍ବାଲାର ମୁଖ୍ୟ ଅଭିଯୁକ୍ତ ମାୟୁଦ୍ଦିନ କାଦ୍ରି। ଜମିରେ ଥିବା ଏକ ସିଂହକୁ ଦେଖିବା ପାଇଁ ଅଭିଯୁକ୍ତମାନେ ଏହି କାର୍ଯ୍ୟ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କର କୋଭିଡ୍‌ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଅନ୍ୟପକ୍ଷରେ ଗିର୍‌ ଜଙ୍ଗଲରେ ଥିବା ସିଂହଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କୁ ଲୋକେ ହଇରାଣ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ପଶୁପକ୍ଷୀମାନଙ୍କ ପାଇଁ ବିପଦ ଅଟେ। ଯଦି ଅପରାଧୀମାନେ କଠୋର ଦଣ୍ଡ ପାଆନ୍ତି ତେବେ ଲୋକଙ୍କ ପାଇଁ ଏକ ଚେତାବନୀ ହୋଇପାରେ। ଫଳରେ ଲାଇଭ୍‌ ସିଂହ ପ୍ରଦର୍ଶନ କରିବା ବନ୍ଦ ହୋଇପାରିବ।

କିଛି ଲୋକ ଏହିପରି ସିଂହ ଶୋ’ ଦେଖିବାକୁ ଟଙ୍କା ମଧ୍ୟ ଦେଇଥାନ୍ତି। ବନ ବିଭାଗ ବର୍ତ୍ତମାନ ସତର୍କ ହୋଇ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଲୋକଙ୍କୁ ସଚେତତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ କିଛି ଅମାନିଆ ଏପରି କାଣ୍ଡ ଘଟାଉଛନ୍ତି। ବନ ବିଭାଗ କହିଛି, ସିଂହ ଶୋ’ରେ ଭାଗ ନେବା ମଧ୍ୟ ଏକ ଆଇନଗତ ଅପରାଧ। ଦେଶର ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ। ସିଂହ ଆମର ଗର୍ବ, ଏହାକୁ ସମ୍ମାନ ଦେବା ଉଚିତ୍‌।

Share