ଶ୍ରୀମନ୍ଦିର ସିଂହଦ୍ୱାର କବାଟରେ ଓଲଟା ସିଂହମୂର୍ତ୍ତି

ପୁରୀ,୩ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଛି। ତେବେ ସିଂହଦ୍ୱାର ରୁପା ଛାଉଣି କବାଟରେ ଓଲଟା ସିଂହମୂର୍ତ୍ତି ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବିବାଦ ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ଠିକ୍‌ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ରଥଯାତ୍ରା ପରଦିନଠାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁମ୍ବାଇରୁ ଆସିଥିବା କଳାକାର ଏବଂ ଓଡ଼ିିଶାର କଳାକାର ମିଶି କାର୍ଯ୍ୟ ଆରମ୍ଭ କରିଥିଲେ। ମୁମ୍ବାଇର ଜଣେ ଦାତା ଦେଇଥିବା ରୁପାରେ ସିଂହଦ୍ୱାର କବାଟର ରୁପା ଛାଉଣି କରାଯାଇଥିଲା। ବାହୁଡ଼ା ଯାତ୍ରା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ରୁପା ଛାଉଣି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ ସମ୍ପ୍ରତି ସିଂହଦ୍ୱାର ରୁପା ଛାଉଣିକୁ ନେଇ ବିବାଦ ଦେଖିବାକୁ ମିଳିଛି। ରୁପା ଛାଉଣି ପରେ ସିଂହଦ୍ୱାର କବାଟରେ ଥିବା ସିଂହକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଂହ ମୂର୍ତ୍ତି ଦୁଇଟି ଭୁଲ ଭାବେ ଲାଗିଥିବା ଅଭିଯୋଗ ହୋଇଛି। ଦ୍ୱାରରେ ଖୋଦେଇ ହୋଇଥିବା ସିଂହ ଦୁଇଟି ବିପରୀତ ମୁଖୀ ହୋଇ ରହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ସିଂହଦ୍ୱାର ପିତ୍ତଳ କବାଟରେ ସିଂହ ମୂର୍ତ୍ତି ଦ୍ୱୟ ପରସ୍ପର ଆଡ଼କୁ ମୁହଁ କରି ରହିଥିଲେ। ଦ୍ୱାର ଖୋଲାହେବା ପରେ ସିଂହ ମୂର୍ତ୍ତି ଦୁଇଟିର ମୁହଁ ଶ୍ରୀମନ୍ଦିର ଭିତର ଆଡ଼କୁ ରହୁଥିଲା। ମାତ୍ର ରୁପା ଛାଉଣି ହୋଇଥିବା ଦ୍ୱାରରେ ସିଂହ ମୂର୍ତ୍ତି ଦୁଇଟିର ମୂର୍ତ୍ତି ପରସ୍ପରକୁ ପଛ କରି ରହିଛି। ଦ୍ୱାର ଖୋଲିବା ପରେ ସିଂହ ମୂର୍ତ୍ତି ଦୁଇଟିର ମୁହଁ ଶ୍ରୀମନ୍ଦିର ବାହାରକୁ ରହୁଥିବା ବେଳେ ପଛ ପାର୍ଶ୍ୱ ଶ୍ରୀମନ୍ଦିର ଭିତରକୁ ରହୁଛି। ଏହାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ପୂର୍ବ ଏବଂ ବର୍ତ୍ତମାନର ସିଂହଦ୍ୱାର କବାଟର ଦୃଶ୍ୟ ପୋଷ୍ଟ କରାଯିବା ସହ ସିଂହମୂର୍ତ୍ତି ମୁହଁ ଶ୍ରୀମନ୍ଦିର ବାହାରକୁ ରହିଲେ ତାହା ଶୁଭଙ୍କର ନୁହେଁ ବୋଲି ଦର୍ଶାଯାଇଛି। ତେବେ ଏ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ରୂପା ଛାଉଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ସିଂହଦ୍ୱାର ପିିତ୍ତଳ କବାଟରେ ଯେଉଁ ଯେଉଁ ଡିଜାଇନ ଓ କାରୁକାର୍ଯ୍ୟ ରହିଛି, ଅବିକଳ ସେହି ସବୁ ଡିଜାଇନ ଓ କାରୁକାର୍ଯ୍ୟ ରୁପା ଛାଉଣି ଦ୍ୱାରରେ ରହିବ। ତେବେ ରୁପା ଛାଉଣି ଦ୍ୱାରରେ କିଛି ପରିବର୍ତ୍ତନ ହେବା ସହ ସିଂହମୂର୍ତ୍ତି ଓଲଟା ଲଗାଯାଇଛି। କାରିଗରମାନଙ୍କୁ ଏନେଇ ସୂଚନା ଦିଆଯାଇଥିଲା କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ତେଣୁ ଦ୍ୱାରରେ ଲାଗିଥିବା ଓଲଟା ସିଂହମୂର୍ତ୍ତିକୁ କଢାଯାଇ ପୂର୍ବଭଳି ଏହି ମୂର୍ତ୍ତି ଦୁଇଟିକୁ ଠିକ୍‌ ଭାବେ ଲଗାଯିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share