Categories: ଖେଳ

ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ: ମେସି

ଦୋହା,୧୯।୧୨: ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ରବିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅଧିନାୟକ ତଥା ତାରକା ଫୁଟ୍‌ବଲର୍‌ ଲିଓନେଲ ମେସି ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ ଦଳର ଐତିହାସିକ ବିଜୟ ପରେ ମେସି ସୋମବାର ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି।

ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରି ମେସି ଲେଖିଛନ୍ତି, ମୁଁ ଅନେକ ଥର ଏହାର ସ୍ବପ୍ନ ଦେଖିଥିଲି। ମୁଁ ଏହାକୁ ଏତେ ଭଲପାଉଥିଲି ଯେ କେବେ ହାରି ନ ଥିଲି। ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ। ମୋ ପରିବାରକୁ, ଯେଉଁମାନେ ମୋର ସମର୍ଥନ କରିଥିଲେ, ଯେଉଁମାନେ ଆମକୁ ବିଶ୍ୱାସ କରିଥିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଯେତେବେଳେ ଆମେ ଏକାଠି ଲଢ଼ିଥାଉ ଏବଂ ଏକଜୁଟ୍‌ ହୋଇ ଖେଳିଥାଉ ସେତେବେଳେ ଆମେ ଯାହା ହାସଲ କରିବାକୁ ଚାହୁଁ ତାହା କରିପାରୁ। ଏହା ପୁରା ଦଳର ଉପଲବ୍ଧି, ଯାହା କୌଣସି ବ୍ୟକ୍ତିବିଶେଷ ସଫଳତାଠାରୁ ଅଧିକ। ଆମର ଶକ୍ତି ଥିଲା ଯେ ଆମେ ଗୋଟିଏ ସ୍ବପ୍ନ ପାଇଁ ଲଢ଼ିଥିଲୁ। ଏହା ଆର୍ଜେଣ୍ଟିନାର ମଧ୍ୟ ସ୍ବପ୍ନ ଥିଲା। ଆମେ ଶେଷରେ କରିଦେଖାଇଲୁ ବୋଲି ସେ ପୋଷ୍ଟ ଜରିଆରେ କହିଛନ୍ତି।

କହିରଖୁଛୁ ଯେ, ଫିଫା ଫାଇନାଲରେ ଆଜେଣ୍ଟିନା ପେନାଲ୍ଟି ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟ୍ରଫି ଜିତିଥିଲା।

Share