Categories: ଖେଳ

ଲାୟନ୍ସ, ଚିତାସ୍‌ ଜିତିଲେ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୧୩ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ୨୦୨୩ କଟକ ସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଉଦ୍‌ଘାଟିତ ହୋଇଛି। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭେଙ୍କଟପତି ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ୍ରିମ୍ସ ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓସିଏ ସଦସ୍ୟ ଧୀରେନ୍‌ ପଲାଇ, ଆପେକ୍ସ କାଉନସିଲ୍‌ ସଦସ୍ୟ ରାକେଶ ମହାନ୍ତି ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ଓଡ଼ିଶା ଚିତାସ୍‌ ଓ ଓଡ଼ିଶା ଲାୟନ୍ସ ବିଜୟୀ ହୋଇଥିଲେ। ପ୍ରଥମ ମ୍ୟାଚରେ ଓଡ଼ିଶା ଲାୟନ୍ସ ୫୦ ରନ୍‌ରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ରାମଚନ୍ଦ୍ର ବେହେରା ୪୮, ଅମିନ୍‌ ଖାନ୍‌ ୩୯* ଓ ରଞ୍ଜିତ ସିଂ ୩୬ ରନ୍‌ କରିଥିଲେ। ଜବାବରେ ଓଡ଼ିଶା ଟାଗର୍ସ ୧୯.୨ ଓଭରରେ ୧୦୮ ରନ୍‌ରେ ଅଲଆଉଟ ହୋଇଥିଲା। ଲାୟନ୍ସ ପକ୍ଷରୁ ପ୍ରଦୀପ୍‌ ପ୍ରଧାନ ୩ଟି ଉଇକେଟ ନେଇଥିଲେ। ପ୍ରଦୀପ ପ୍ରଧାନଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୋବିନ୍ଦ ପୋଦ୍ଦାର ୫୪ ବଲ୍‌ରୁ ୧୨୦ ରନ୍‌ ବଳରେ ଜାଗୁଆର୍ସ ୫ ଉଇକେଟରେ ୧୮୮ ରନ୍‌ କରିଥିଲା। ଜବାବରେ ଗୌରବ ଚୌଧାରୀଙ୍କ ୬୨ ବଲ ୧୧୦ ରନ୍‌ ବଳରେ ୪ ବଲ୍‌ ବାକି ଥାଇ ୭ ଉଇକେଟ ହରାଇ ଚିତାସ ମ୍ୟାଚ୍‌ ଜିତି ନେଇଥିଲେ। ଗୌରବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରା ଯାଇଥିଲା।

Share