Categories: ଖେଳ

ଲାୟନ୍ସ, ଜାଗୁଆର୍ସ ବିଜୟୀ

ଭୁବନେଶ୍ୱର, ୨୪।୬: ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୨ଟି ଓସିଏଲ୍‌ (ଓଡ଼ିଶା କ୍ରିକେଟ ଲିଗ୍‌) ମ୍ୟାଚରେ ଲାୟନ୍ସ ଓ ଜାଗୁଆର୍ସ ଦଳ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚରେ ଲାୟନ୍ସ ୪ ଉଇକେଟରେ ଓଡ଼ିଶା ପୁମାସକୁ ପରାସ୍ତ କରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୧୮ ଓଭରରେ ୯ ଉଇକେଟ ହରାଇ ୧୩୦ ରନ କରିଥିଲା। ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ସର୍ବାଧିକ ୪୪ ରନ କରିଥିବାବେଳେ ବିପକ୍ଷ ଦଳର ପ୍ରଦୀପ ପ୍ରଧାନ ୪ଟି ଓ ରିତେଶ ପ୍ରିୟରଞ୍ଜନ ୩ଟି ଉଇକେଟ ନେଇଥିଲେ। ଜବାବରେ ଓଡ଼ିଶା ଲାୟନ୍ସ ୧୭.୨ ଓଭରରେ ୬ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରି ନେଇଥିଲା। ବିପ୍ଳବ ସାମନ୍ତରାୟ ୩୬ ଓ ଅମିନ ଖାଁ ୩୫ ରନ କରିଥିଲେ। ପ୍ଲେୟର ଅଫ୍‌ ଦି ମ୍ୟାଚ ପ୍ରଦୀପ ପ୍ରଧାନ ଓସିଏ ସଦସ୍ୟ ତଡ଼ିତ କୁମାର ରାଉତଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଟାଇଗର୍ସକୁ ହରାଇ ଦେଇଛି। ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟାଇଗର୍ସ ୧୭.୧ ଓଭରରେ ମାତ୍ର ୫୭ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ବିପକ୍ଷ ଦଳର ପ୍ରଶାନ୍ତ ଠାକ୍କର ୩ଟି ଏବଂ ପପୁ ରାୟ ଓ ସୟଦ ଜାକି ୨ଟି ଲେଖାଏ ଉଇକେଟ ନେଇ ଟାଇଗର୍ସ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୫୮ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ଜାଗୁଆର୍ସ ମାତ୍ର ୨ ଉଇକେଟ ହରାଇ ୮.୪ ଓଭରରେ ହାସଲ କରି ନେଇଥିଲା। ଶ୍ରେୟାଂଶ ଭରଦ୍ୱାଜ ୨୪ ରନକରି ଅପରାଜିତ ରହିଥିଲେ। ପରାଜିତ ଦଳର ବି. ଶିବା ୨ଟି ଯାକ ଉଇକେଟ ନେଇଥିଲେ। ପ୍ରଶାନ୍ତ ଠକ୍କର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓସିଏ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Share