Categories: ଫୁରସତ

ହୀରାରେ ଲିପ୍‌ ଆର୍ଟ

ମେକ୍‌ଅପ୍‌ ଏକ ଆର୍ଟ ଓ ଏକ ସୃଜନଶୀଳ କାମ। ଯାହାର ସୃଜନଶୀଳତା ଯେତେ ସେ ସେତେ ଭିନ୍ନ ଓ ଆକର୍ଷକ ମେକ୍‌ଅପ୍‌ କରିପାରନ୍ତି। ଅଷ୍ଟ୍ରେଲିଆର କ୍ଲେର୍‌ ମାକ ନାମକ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍‌ ରେକର୍ଡ ବି କରିଛନ୍ତି। ସେ ଜଣେ ମଡେଲଙ୍କ ଓଠରେ ୩.୭୮ କୋଟିର ହୀରାରେ ସୁନ୍ଦର ଲିପ୍‌ ଆର୍ଟ କରିଥିଲେ, ଯାହାକି ପୃଥିବୀର ସବୁଠୁ ଦାମୀ ଲିପ୍‌ଆର୍ଟ ଭାବେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଉକ୍ତ ଲିପ୍‌ ଆର୍ଟରେ ୧୨୬ଟି ହୀରା ଲାଗିଥିଲା। ଫଳରେ ମଡେଲଙ୍କ ଓଠ ହୀରାର ଚମକରେ ଝଲସିଯାଉଥିଲା। ରୋଜେଣ୍ଡ୍ରଫ ଡାଇମଣ୍ଡସ୍‌ ତା’ର ୫୦ତମ ଜନ୍ମ ଦିବସକୁ ଖାସ୍‌ କରିବା ପାଇଁ ଏହାକୁ ଆୟୋଜନ କରିଥିଲା। ମେକ୍‌ଅପ୍‌ ଆର୍ଟିଷ୍ଟ କ୍ଲେର୍‌ ମାକ୍‌ ଖୁବ୍‌ ସୁନ୍ଦର ଭାବେ ଏହି ମେକ୍‌ଅପ୍‌ କରିଥିଲେ। ଏହାକୁ କରିବା ଲାଗି ତାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗିଥିଲା। ଏହି ମେକ୍‌ଅପ୍‌ କରିବା ପାଇଁ ସେ ପ୍ରଥମେ ମଡେଲଙ୍କ ଓଠରେ କଳା ଲିପ୍‌ଷ୍ଟିକ୍‌ ଲଗାଇଥିଲେ। ଆଉ ତା’ଉପରେ ୨୨.୯୨ କ୍ୟାରେଟ୍‌ର ୧୨୬ଟି ହୀରା ଲଗାଇ ସଜାଇଥିଲେ। ଏହି ହୀରାସବୁକୁ ରୋଜେଣ୍ଡ୍ରଫ ନିଜେ ଡିଜାଇନ୍‌ କରିଥିଲେ। ହୀରାଖଚିତ ଓଠକୁ ଜଗିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Share