Categories: ଫୁରସତ

ବେଲୁନ୍‌ ପରି ଓଠ

ସୁନ୍ଦର ହେବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ କିଏ ଘରୋଇ ଉପଚାରର ସାହାଯ୍ୟ ନିଅନ୍ତି ତ କିଏ ପାର୍ଲର ଯାଆନ୍ତି। ପୁଣି କିଏ ସର୍ଜରୀ କରାଇ କୃତ୍ରିମ ସୁନ୍ଦରତା ପାଇବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା। ସେ ନିଜର ସୌନ୍ଦର୍ଯ୍ୟ ବଢାଇବା ଲାଗି ପ୍ଲାଷ୍ଟିକ ସର୍ଜରୀର ସାହାଯ୍ୟ ନେଇଛନ୍ତି। ଶରୀରର ବିଭିନ୍ନ ଅଙ୍ଗରେ ପରିବର୍ତ୍ତନ ଆଣିବା ସହ ନିଜ ଓଠକୁ ଏତେ ବଡ଼ କରିଦେଇଛନ୍ତି ଯେ, ତାହା ଏବେ ପୃଥିବୀର ସବୁଠାରୁ ବଡ଼ ଓଠ ଭାବେ ପରିଗଣିତ ହେଉଛି। ଦୁଇ ଓଠ ଫୁଲି ଏତେ ବଡ଼ ହୋଇଯାଇଛି ଯେ, ତାହା ବେଲୁନ୍‌ ପରି ଦେଖାଯାଉଛି। ୨୦୧୮ରୁ ସେ ନିଜ ଚେହେରାରେ ପରିବର୍ତ୍ତନ କରିବା ଆରମ୍ଭ କରିଥିଲେ। ଆଉ ସେହି ଧାରା ଏବେବି ବଳବତ୍ତର ରହିଛି। ୨୦୧୮ରେ ସେ ପ୍ରଥମେ ଲିପ୍‌ ଫିଲର୍‌ କରାଇଥିଲେ। ୟା’ ଭିତରେ ସେ ୩୨ ଥର ଲିପ୍‌ ଫିଲର କରାଇସାରିଲେଣି। ଓଠରେ ହାୟଲୁରନିକ ଏସିଡ୍‌ର ଫିଲର୍ସ ପାଇଁ ସେ ପ୍ରାୟ ୭.୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଫଳରେ ତାଙ୍କ ଓଠ ଏତେ ବଡ଼ ହୋଇଯାଇଛି ଯେ ତାହା ନାକରେ ବାଜୁଛି, ଶ୍ୱାସକ୍ରିୟାରେ ସମସ୍ୟା ବି ହେଉଛି। ଡାକ୍ତର ବି ୟା’ଠୁ ବଡ଼ ଓଠ କରାଇବାକୁ ମନା କରି ଦେଇଛନ୍ତି। ହେଲେ ଆଣ୍ଡ୍ରିଆଙ୍କୁ ଓଠ ବଡ଼ କରିବାର ନିଶା ଏତେ ଘାରିଛି ଯେ, ସେ ଅଟକିବାକୁ ନାରାଜ।

Share