Categories: ଜାତୀୟ

ଭାଜପାକୁ ଏକ କୋଟି ଭୋଟ ମିଳିିଲେ ୭୦ ଟଙ୍କାରେ ମଦ ମିଳିବ

ବିଜୟଓ୍ବାଡା,୩୦।୧୨: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାଜପାକୁ ଆନ୍ଧ୍ରପ୍ରଦେଶରେ ୧ କୋଟି ଭୋଟ ମିଳିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଯୋଗାଉ ଦେବୁ। ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟର ଭାଜପା ସଭାପତି ସୋମୁ ବୀରରାଜୁ।

“ରାଜ୍ୟରେ ଚଢ଼ା ଦରରେ ଖରାପ ମଦ ମିଳୁଛି। ଜଣାଶୁଣା ଓ ଲୋକପ୍ରିୟ ବ୍ରାଣ୍ଡର ମଦ ମିଳୁନାହିଁ। ରାଜ୍ୟରେ ‘ସ୍ପେଶାଲ ଷ୍ଟାଟସ’, ‘ଗଭର୍ନରସ ମେଡାଲ’ ଲିବେଲ ସହ ମଦ ବିକ୍ରି ହେଉଛି। ସେମାନେ ବ୍ରାଣ୍ଡେଡ୍‌ ମଦ ବିକୁ ନାହାନ୍ତି। ସମ୍ପୂର୍ଣ୍ଣ ମଦ ନିଷେଦ କହି ସେମାନେ ବ୍ରାଣ୍ଡି ପ୍ରସ୍ତୁତ କରି ବିକୁଛନ୍ତି। ଆଗାମୀ ନିର୍ବାଚନରେ ଭାଜପାକୁ ଏକ କୋଟି ଭୋଟ ଦିଅ। ଆମେ ୭୦ ଟଙ୍କାରେ ମଦ ଯୋଗାଇବୁ। ଏହାପରେ ଯଦି ଆମ ପାଖରେ ରାଜସ୍ବ ବଞ୍ଚେ, ଆମେ ୫୦ ଟଙ୍କାରେ ବିକିବୁ” ବୋଲି ବିଜୟଓ୍ବାଡାରେ ଏକ ଦଳୀୟ ବୈଠକରେ କହିଛନ୍ତି ସଭାପତି ବୀରରାଜୁ।

ଆନ୍ଧ୍ରପ୍ରଦେଶରେ ବ୍ରାଣ୍ଡେଡ୍‌ ମଦ ଉପରେ ଅତ୍ୟଧିକ ଟିକସ ଲଦିଯାଇଛି। ନିକଟରେ ରାଜ୍ୟ ସରକାର ମଦ ଉପରୁ ଭାଟ ହ୍ରାସ କରିଥିଲେ। କିନ୍ତୁ ମଦ ଉପରେ ଥିବା ଏମ୍‌ଆରପିରେ ପରିବର୍ତ୍ତନ କରାଯାଇ ନ ଥିବାରୁ ଉପଭୋକ୍ତା ଭାଟ ହ୍ରାସର ଫାଇଦାରୁ ବଞ୍ଚିତ ହେଉଛନ୍ତି।

Share