ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ମଦ ବିକିବା ପଡ଼ିଲା ମହାଙ୍ଗା

ଯୋଡ଼ା,୨୧ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେବା ମହାଙ୍ଗା ପଡ଼ିଛି। ଅଭିଯୋଗ ପରେ ଯୋଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୨ ମଦ ଦୋକାନ ସିଲ୍‌ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଘଟିକା ସମୟରେ ବଡ଼ବିଲ ତହସିଲଦାର ଡିଏସ୍‌ ଶୁଭଦର୍ଶୀ ଯୋଶୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।
ଅନୁଯାୟୀ, ଯୋଡ଼ା ସହର ଉପକଣ୍ଠ ରଣାଶାଳ ଘାଟି ରାଜପଥ ନିକଟ ଓ ଧରଣୀଧର ଛକ ନିକଟରେ ଥିବା ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟଠାରୁ ୧୦ ରୁ ୩୦ଟଙ୍କା ପର୍ଯ୍ୟନ୍ତ ଅଧିକ ନିଆଯାଉଥିଲା। ଏଥିରେ ଆପତ୍ତି କଲେ ଦୋକାନରେ ଥିବା କର୍ମଚାରୀମାନେ ଧମକ ଦେଉଥିଲେ। ଅଭିଯୋଗ ପରେ ଯୋଡ଼ା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲା। ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ନାଏକ କହିଛନ୍ତି, ରଣାଶାଳ ଘାଟି ନିକଟରେ ଥିବା ମଦ ଦୋକାନକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜରିମାନା
କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ଆକଳନ କରାଯାଇଛି।

ଉଭୟ ଦୋକାନର ସମ୍ପୂର୍ଣ୍ଣ ତଥ୍ୟ ଆକଳନ କରି ସୂଚନା ଦିଆଯିବ ବୋଲି କହିଥିଲେ। ଯୋଡ଼ା, ବଡ଼ବିଲ ଅଞ୍ଚଳରେ କେତେକ ମଦ ବ୍ୟବସାୟୀ ନକଲି ମଦ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହାକୁ ବାରମ୍ବାର ଯାଞ୍ଚ କରାଯିବ ବୋଲି ଅବକାରୀ ଅଧିକାରୀ ନାଏକ ସୂଚନା ଦେଇଛନ୍ତି। ବେଆଇନ ଭାବେ ଗଚ୍ଛିତ ଥିବା ଏକ କୋଠରୀରୁ ୧୧ ପେଟି ମଦ ଜବତ କରାଯାଇଛି। ଏହାର ନମୁନା ଯାଞ୍ଚ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ପରୀକ୍ଷାଗାରକୁ ପଠାଯିବ। ଏ ନେଇ ଯୋଡ଼ା ଥାନାରେ ଦୁଇଟି ମାମଲା ରୁଜୁ ହୋଇ ଥିବା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ କହିଛନ୍ତି।

Share