ଛତ୍ରପୁର,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ଛକରୁ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଉଚ୍ଛେଦ ଲାଗି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଆସୁଛି। ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ମଦ ଦୋକାନ ଆଗରେ ପ୍ରତିବାଦ କରିଛନ୍ତି। ମଦ ଦୋକାନ ଏଠାରୁ ଉଚ୍ଛେଦ ହୋଇ ଗାଁ ବାହାରକୁ ସ୍ଥାନାନ୍ତର ପାଇଁ ଦାବି କରିବା ସହ ଦୀର୍ଘ ସମୟ ଧରି ନାରାବାଜି କରିଥିଲେ। ପରେ ଗାଁର ମହିଳା ଓ ଯୁବକମାନେ ମଦ ଦୋକାନକୁ ଘେରାଉ କରି ରଖିଥିଲେ।
ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ଉକ୍ତ ମଦ ଦୋକାନ ସମ୍ମୁଖରେ ଏକ ପୋଖରୀ ଅଛି। ଏଠାକୁ ଗାଧୋଇବାକୁ ଆସୁଥିବା ଝିଅ ବୋହୂମାନଙ୍କୁ ମଦ୍ୟ ପାନ କରିଥିବା ଲୋକ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଏଥିସହ ମନ୍ଦିର,ସ୍କୁଲ,କଲେଜକୁ ଯାଉଥିବା ବେଳେ ଝିଅମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସର୍ବଦା ରାସ୍ତା ଉପରେ ମଦ୍ୟପାନ କରି ଗଣ୍ଡଗୋଳ ମଧ୍ୟ ହେଉଛି। ଏହି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡୁଥିବା ଅଭିଯୋଗ ହୋଇଛି। ଏହି ମଦ ଦୋକାନ ଉଚ୍ଛେଦ ନ ହେଲେ ଜିଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।