‘ଲିସା’ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍‌ ଆଙ୍କର

ଭୁବନେଶ୍ୱର,୧୦ା୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏକ ଅଭିନବ ପ୍ରୟାସ ସହ ଟେଲିଭିଜନ ବ୍ରଡ୍‌ କାଷ୍ଟିଂରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କରିବାକୁ ଯାଉଛି। ଏପରିକି ଓଡ଼ିଶା ଝିଅ ଲିସା ଓଡ଼ିଆରେ ଏଆଇ ଜରିଆରେ ନ୍ୟୁଜ ପଡ଼ିବେ ବୋଲି ଓଟିଭି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଲିସା ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରିବା ସହିତ ଟେଲିଭିଜନ ଦୁନିଆରେ ଏକ ଅବିଶ୍ୱନୀୟ ପରିଚୟ ସୃଷ୍ଟି କରିବେ ବୋଲି ଓଟିଭି ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଓଟିଭି ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଓଟିଭିର ପ୍ରତିଷ୍ଠାତା ସଦସ୍ୟ ତଥା ସିଇଓ ଜାଗୀମଙ୍ଗତ ପଣ୍ଡା, ସମ୍ପାଦକ (ଏଡିଟର) ରାଧାମାଧବ ମିଶ୍ର ଏବଂ ଓଟିଭି ଡିଜିଟାଲ ୟୁନିଟ୍‌ର ସିବିଡିଓ ଲିତିସା ମଙ୍ଗତ ପଣ୍ଡା ଯୋଗଦେଇ ଉଭୟ ଲିସା ଓ ଏଆଇ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଇଥିଲେ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଟିଭି ଓ ଡିଜିଟାଲ ଖବର ପ୍ରସାରଣ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି, ସେଥିରେ ଓଟିଭି ଏବଂ ଏହାର ଏଆଇ ଆଙ୍କର ଲିସାର ଯୋଗଦାନ ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା ହେବ ବୋଲି ଓଟିଭି ପକ୍ଷରୁ ଆଶା କରାଯାଉଛି। ଅପରପକ୍ଷରେ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଲିସା ପ୍ରଥମ ଏଆଇ ଆଙ୍କର ହୋଇଥିବାବେଳେ ଲିସା ମଧ୍ୟ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ ଆଙ୍କର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି।

Share